ଭାରତର ସାନ୍ତ୍ୱନାମୂଳକ ବିଜୟ, ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆକୁ ୧୩ ରନରେ ହରାଇଲା

କାନ୍‌ବେରା – କ୍ରମାଗତ ପରାଜୟ ପରେ ଟିମ୍ ଇଣ୍ଡିଆ ଶେଷରେ ବିଜୟସ୍ୱାଦ ଚାଖିଛି । ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜାଙ୍କ ଲଢୁଆ ଇନିଂସ୍ ପରେ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ଭାରତ ଏଠାରେ ବୁଧବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଦିନିକିଆରେ ଅଷ୍ଟ୍ରେଲିଆକୁ ୧୩ ରନରେ ହରାଇଛି । ପ୍ରଥମ ଦୁଇଟି ଦିନିକିଆରେ ହାରିବା ସହ ସିରିଜ ହାତଛଡ଼ା କରିଥିବା ଭାରତ ଏହି ସାନ୍ତ୍ୱନାମୂଳକ ବିଜୟ ସହ କ୍ଲିନ୍ ସୁଇପରୁ ବର୍ତ୍ତିଛି । ଦିନିକିଆ ଫର୍ମାଟରେ କ୍ରମାଗତ ପାଞ୍ଚ ମ୍ୟାଚ୍ ପରାଜୟ ଧାରାରେ ବି ବ୍ରେକ୍ ଲଗାଇଛି ଟିମ୍ ଇଣ୍ଡିଆ ।

ଅଷ୍ଟ୍ରେଲିଆ ଏହି ସିରିଜକୁ ୨-୧ରେ ଜିତିଛି । ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୦୨ ରନର ଚ୍ୟାଲେଞ୍ଜିଂ ସ୍କୋର କରିଥିଲା । ଦଳ ଏକଦା ୧୫୨ ରନରେ ୫ଟି ୱିକେଟ୍ ହରାଇ ସଂଘର୍ଷ କରୁଥିଲା । ହେଲେ ପାଣ୍ଡ୍ୟା ଓ ଜାଡେଜା ଷଷ୍ଠ ୱିକେଟ୍ ପାଇଁ ୧୦୮ ବଲରେ ୧୫୨ ରନ୍ ଭାଗିଦାରୀ ସହ ଭାରତୀୟ ପାଳି ସମ୍ଭାଳିଥିଲେ । ପାଣ୍ଡ୍ୟା ୭୬ ବଲ୍‌ରେ ୭ଟି ଚୌକା ଓ ଗୋଟିଏ ଛକା ସହ ଅପରାଜିତ ୯୨ ରନ୍ କରିଥିଲେ । ଜାଡେଜା ୫୦ ବଲ୍‌ରେ ୫ଟି ଚୌକା ଓ ୩ଟି ଛକା ସହାୟତାରେ ୬୬ ରନ୍ କରି ଅପରାଜିତ ରହିଥିଲେ । ଅଧିନାୟକ ବିରାଟ କୋହଲି ମଧ୍ୟ ୬୩ ରନ୍‌ର ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ ।

୩୦୩ ରନର ବିଜୟଲକ୍ଷ୍ୟ ଜବାବରେ ଅଷ୍ଟ୍ରେଲିଆ ୪୯.୩ ଓଭରରେ ୨୮୯ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଦୁଇଟି ଶତକ ସହ ଏହି ସିରିଜରେ ଭାରତ ପାଇଁ କଣ୍ଟା ସାଜିଥିବା ଷ୍ଟିଭ୍ ସ୍ମିଥ ଆଜି ମାତ୍ର ୭ ରନ୍ କରି ଶାର୍ଦ୍ଦୁଲ ଠାକୁରଙ୍କ ଶିକାର ହୋଇଥିଲେ । ଆରୋନ୍ ଫିଞ୍ଚ୍ (୭୫)ଙ୍କୁ ଜାଡେଜା ପ୍ୟାଭିଲିୟନ୍ ଫେରାଇ ଭାରତକୁ ଏକ ବଡ଼ ସଫଳତା ଦେଇଥିଲେ । ଅଷ୍ଟ୍ରେଲିଆ ୨୧୦ ରନରେ ୬ ୱିକେଟ୍ ହରାଇ ସଙ୍କଟରେ ପଡିଥିଲାବେଳେ ଗ୍ଲେନ ମ୍ୟାକ୍ସୱେଲ ପୁଣିଥରେ ଏକ ଆକ୍ରମଣାତ୍ମକ ଇନିଂସ୍ ଖେଳିଥିଲେ । ସେ ୩୮ ବଲରେ ଦ୍ରୁତ ୫୯ ରନ୍ କରିଥିଲେ । ଭାରତ ହାତରୁ ସେ ମ୍ୟାକ୍ସୱେଲ ମ୍ୟାଚ୍ ଛଡ଼ାଇ ନେବେ ବୋଲି ମନେ ହେଉଥିଲା । ତେବେ ୪୫ତମ ଓଭରରେ ମ୍ୟାକ୍ସୱେଲଙ୍କୁ କ୍ଲିନ୍ ବୋଲ୍ଡ କରି ବୁମରା ଭାରତ ବାଟରୁ ଏକ ବଡ଼ କଣ୍ଟା ହଟାଇଥିଲେ ।

ମ୍ୟାକ୍ସୱେଲଙ୍କ ୱିକେଟ୍ ପରେ ଅଷ୍ଟ୍ରେଲିଆର ବିଜୟ ଆଶା ମଉଳି ଯାଇଥିଲା । ଭାରତ ତରଫରୁ ସିରିଜର ପ୍ରଥମ ମ୍ୟାଚ୍ ଖେଳୁଥିବା ଠାକୁର ୩ଟି ୱିକେଟ୍ ନେଇଥିଲାବେଳେ ବୁମରା ୨ଟି ୱିକେଟ୍ ପାଇଥିଲେ । ସେହିପରି ଆଜି ନିଜ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ଟି.ନଟରାଜନ ମଧ୍ୟ ୨ଟି ୱିକେଟ୍ ହାସଲ କରିଥିଲେ । ପାଣ୍ଡ୍ୟା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ସ୍ମିଥ୍ ମ୍ୟାନ୍ ଅଫ୍ ଦି ସିରିଜ ବିବେଚିତ ହୋଇଥିଲେ । ଦୁଇ ଦେଶ ମଧ୍ୟରେ ତିନି ମ୍ୟାଚ୍ ଟି୨୦ ସିରିଜ୍ ଡିସେମ୍ବର ୪ରୁ ଆରମ୍ଭ ହେବ ।

Comments are closed.