ମାଟ୍ରିକ୍ ଫେଲ୍ ରୋକିବାକୁ ଅଭିନବ ଯୋଜନା ‘ ମିଶନ୍ ଜିରୋ ଏଫ୍ ’

ସମ୍ବଲପୁର: ମାଟ୍ରିକ୍ ପରୀକ୍ଷାରେ ଫେଲ ହାର ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ମିଶନ୍ ଜିରୋ ଏଫ୍ କାର୍ଯ୍ୟକ୍ରମ । ସ୍କୁଲ ଗୁଡିକ ବନ୍ଦ ଥିବାରୁ ଏହି ଯୋଜନାରେ ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବାର ବ୍ୟବସ୍ଥା ହୋଇଛି । ପ୍ରଶାସନର ସୂଚନା ଅନୁଯାୟୀ ଆଜି ଜିଲ୍ଲାର ୧୯୬ଟି ହାଇସ୍କୁଲରେ ପାଠ ପଢୁଥିବା ୨୧୬୫ ଜଣ ମାଟ୍ରିକ୍ ଛାତ୍ରଛାତ୍ରୀଙ୍କୁ ୩୭୯ଟି ସ୍ଥାନରେ ପାଠ ପଢ଼ାଯାଇଛି । କୋଭିଡ୍ ପରିସ୍ଥିତିରେ ଅଭିଭାବକଙ୍କ । ସହ ଆଲୋଚନା କରି ଏହି ବ୍ୟବସ୍ଥା ହୋଇଛି ।

ଏଥିପାଇଁ ଜିଲ୍ଲାର ୯ଟି ବ୍ଲକରେ ଅଭିଭାବକଙ୍କ ସହ ୧୭୮ଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଯୋଜନାରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବାକୁ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସ୍ଵତନ୍ତ୍ର ଦାୟିତ୍ବ ଦିଆଯାଇଛି । ଏହି ପରୀପ୍ରେକ୍ଷୀରେ ପୂର୍ବରୁ ବୁଢ଼ାରଜା ହାଇସ୍କୁଲରେ ଶିକ୍ଷକମାନଙ୍କୁ ନେଇ ଦୁଇ ଦିନିଆ କର୍ମଶାଳା ଆୟୋଜିତ ହୋଇ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ହୋଇଛି । ଶିକ୍ଷକମାନେ ବିଗତ ଦଶ ବର୍ଷର ପ୍ରଶ୍ନପତ୍ର ବିଶ୍ଳେଷଣ କରି ସମ୍ଭାବ୍ୟ ପ୍ରଶ୍ନପତ୍ର ପ୍ରସ୍ତୁତ କରି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି । ଗତ ନବମ ଶ୍ରେଣୀରେ ୪୦ % ରୁ କମ୍ ମାର୍କ ଥିବା ଛାତ୍ରଛାତ୍ରୀଙ୍କ ପ୍ରତି ବିଶେଷ ଦୃଷ୍ଟି ଦିଆଯାଉଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟ ଇଛୁକ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋପାରିବେ । ଶିକ୍ଷକମାନେ ସମ୍ପୃକ୍ତ ଅଞ୍ଚଳରେ ଥିବା କଲ୍ୟାଣ ମଣ୍ଡପ , ପଞ୍ଚାୟତ ହଲ କିମ୍ବା ପାଠପଢ଼ା ଉପଯୋଗୀ ସ୍ଥାନ ଚୟନ କରି ପାଠ ପଢ଼ାଉଛନ୍ତି ।

ଶିକ୍ଷକମାନେ କୌଣସି ଗୋଟିଏ ବିଷୟରେ ୪୫ ମିନିଟ୍ ପାଠ ପଢ଼ାଇବା ପରେ ପିଲାମାନେ ସେହି ବିଷୟରେ ୩୦ ମିନିଟ୍ ଲେଖିବେ ଓ ଏହାର ୧୫ ମିନିଟ୍ ପରେ ପରୀକ୍ଷା କରିବାର ବ୍ୟବସ୍ଥା ହୋଇଛି । ପାଠ ପଢ଼ାରେ ଉନ୍ନତି ଆଣିବାକୁ ରିଭିଜନ୍ , ସାପ୍ତାହିକ ଏବଂ ପାକ୍ଷୀକ ପରୀକ୍ଷା କରାଯିବା ସହ ମୂଲ୍ୟାଙ୍କନ କରାଯିବ । ଜିଲ୍ଲାସ୍ତରୀୟ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଓ ଦକ୍ଷତାର ତଦାରଖ କରାଯାଇ ଆବଶ୍ୟକ ପରାମର୍ଶ ଦେବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି । ପ୍ରଶାସନର ଏଭଳି ପଦକ୍ଷେପକୁ ଅଭିଭାବକ ମହଲରେ ସ୍ବାଗତ କରାଯାଇଥିବା ବେଳେ ଛାତ୍ରଛାତ୍ରୀଙ୍କୁ ଏହା ବିଶେଷ ଭାବେ ସହାୟକ ହେବ ବୋଲି କୁହାଯାଉଛି ।

Comments are closed.