ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ନେଲେ କରୋନା ଟିକା

ଅହମ୍ମଦାବାଦ – ଭାରତୀୟ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଆଜି କରୋନା ଟିକା ନେଇଛନ୍ତି । ଶାସ୍ତ୍ରୀ ଅହମ୍ମଦାବାଦ ଆପୋଲୋ ହସ୍ପିଟାଲରେ ଟିକା ନେଇଥିଲେ । ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ପାଇଁ ଭାରତୀୟ ଦଳ ସହ ଶାସ୍ତ୍ରୀ ସମ୍ପ୍ରତି ଅହମ୍ମଦାବାଦରେ ଅଛନ୍ତି ।

କୋଭିଡ୍ ଟିକା ନେବା ପରେ ଶାସ୍ତ୍ରୀ ଟ୍ୱିଟରରେ ଏହି ଖବର ସେୟାର କରିଥିଲେ । ଏହି ୫୭ ବର୍ଷୀୟ ପୂର୍ବତନ କ୍ରିକେଟର ଲେଖିଥିଲେ – କୋଭିଡ୍‌-୧୯ ଟିକାର ପ୍ରଥମ ଡୋଜ୍ ଗ୍ରହଣ କଲି । ଏହି ମହାମାରୀ ବିରୋଧରେ ଭାରତକୁ ସଶକ୍ତ କରିଥିବା ସ୍ୱାସ୍ଥ୍ୟକର୍ମୀ ଓ ବୈଜ୍ଞାନିକଙ୍କୁ ଧନ୍ୟବାଦ । ତାଙ୍କୁ ଟିକା ଦେଇଥିବା ଅହମ୍ମଦାବାଦ ଆପୋଲୋ ହସ୍ପିଟାଲରେ ନର୍ସ କାନ୍ତାବେନ ଓ ତାଙ୍କ ସାଥୀଙ୍କୁ ମଧ୍ୟ ଶାସ୍ତ୍ରୀ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି ।

ସାଧାରଣ ଲୋକଙ୍କ ପାଇଁ ଟିକାକରଣ ଅଭିଯାନ ଗତକାଲି ଠାରୁ ସାରା ଦେଶରେ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଓ ବିଭିନ୍ନ ଜଟିଳ ରୋଗରେ ପୀଡିତ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଟିକା ଲଗାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଟିକା ଲଗାଇବା ସହ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନ ଆରମ୍ଭ କରିଥିଲେ । ମୋଦି ଦିଲ୍ଲୀ ଏମ୍ସରେ ଦେଶୀ ଟିକା ଭାବେ ପରିଚିତ ଭାରତ ବାୟୋଟେକ୍‌ର ‘କୋଭାକ୍ସିନ’ର ପ୍ରଥମ ଡୋଜ୍ ନେଇଥିଲେ ।

Comments are closed.