ଶରଦ ପାୱାର ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ – ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାୱାର ଅସୁସ୍ଥ ହୋଇପଡିଛନ୍ତି । ପେଟରେ ଯନ୍ତ୍ରଣା ଯୋଗୁଁ ତାଙ୍କୁ ଆଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ଗଲ୍ ବ୍ଲାଡର ସମସ୍ୟା ଅଛି । ବୁଧବାର ତାଙ୍କର ଅସ୍ତ୍ରୋପଚାର ହେବ ବୋଲି କୁହାଯାଇଛି ।
ଏନ୍‌ସିପି ନେତା ନୱାବ ମଲିକ ଟ୍ୱିଟ କରି କହିଛନ୍ତି ଯେ, ଗତକାଲି ରାତିରେ ପାୱାର ପେଟରେ ଯନ୍ତ୍ରଣା ନେଇ ଅଭିଯୋଗ କରିଥିଲେ । ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପାୱାରଙ୍କ ଗଲ୍ ବ୍ଲାଡରରେ ଷ୍ଟୋନ୍ ହୋଇଥିବା ସ୍ୱାସ୍ଥ୍ୟ ଯାଞ୍ଚ୍‌ରୁ ଜଣାପଡିଛି । ସ୍ୱାସ୍ଥ୍ୟଗତ କାରଣରୁ ପାୱାରଙ୍କ ସବୁ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି ବୋଲି ମଲିକ୍ ସୂଚନା ଦେଇଛନ୍ତି ।

ପାୱାର ଏଭଳି ଏକ ସମୟରେ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ହୋଇଛନ୍ତି, ଯେତେବେଳେ କି ମହାରାଷ୍ଟ୍ରର କ୍ଷମତାସୀନ ‘ମହାବିକାଶ ଅଗାଡ଼ି’ ମେଣ୍ଟ ସଙ୍କଟରେ ପଡିଛି । ଉଦ୍ଧବ ଠାକରେଙ୍କ ଶିବସେନା ଓ କଂଗ୍ରେସ ବ୍ୟତୀତ ଏନ୍‌ସିପି ଏହି ମେଣ୍ଟର ଅନ୍ୟତମ ସହଯୋଗୀ ଦଳ । ମୁକେଶ ଅମ୍ବାନିଙ୍କ ଘର ଆଗରୁ ବିସ୍ଫୋରକ ଭର୍ତ୍ତି ଗାଡ଼ି ମିଳିବା ଘଟଣାରେ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ନାମ ଉଠିବା ପରେ ‘ମହାବିକାଶ ଅଗାଡ଼ି’ ସରକାର ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ଗତ ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ପାୱାରଙ୍କ ସାକ୍ଷାତ ପରେ ମହାରାଷ୍ଟ୍ରରେ କ୍ଷମତା ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର୍ ଧରିଛି ।

Comments are closed.