ପାକିସ୍ତାନର ରାୱଲପିଣ୍ଡିରେ ୧୦୦ ବର୍ଷରୁ ଉର୍ଦ୍ଧ୍ବ ପୁରୁଣା ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ

ଇସଲାମାବାଦ – ପାକିସ୍ତାନର ରାୱଲପିଣ୍ଡି ସହରରେ ୧୦୦ ବର୍ଷରୁ ଉର୍ଦ୍ଧ୍ବ ପୁରୁଣା ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଛି। ଏହି ମନ୍ଦିରର ନବୀକରଣ କାର୍ଯ୍ୟ ଚାଲିଥିଲା।

ଅଭିଯୋଗ ଅନୁଯାୟୀ, ସହରର ପୁରାନା କିଲା ଅଞ୍ଚଳରେ ଶନିବାର ସନ୍ଧ୍ୟା ୭:୩୦ ମିନିଟ ସମୟରେ ୧୦ ରୁ ୧୫ ଜଣିଆ ଏକ ଗୋଷ୍ଠୀ ମନ୍ଦିର ଉପରେ ଆକ୍ରମଣ କରି ମୁଖ୍ୟ ଫାଟକ ଏବଂ ଉପର ମହଲାର ଅନ୍ୟ ଦ୍ୱାର ସହିତ ପାହାଚ ଭାଙ୍ଗି ଦେଇଥିଲେ ।

‘ଡନ୍’ ଖବରକାଗଜ ଅନୁଯାୟୀ, ଇଭାକୁୟୀ ଟ୍ରଷ୍ଟ ପ୍ରପର୍ଟି ବୋର୍ଡ (ଇଟିପିବି) ଉତ୍ତର ଜୋନର ସୁରକ୍ଷା ଅଧିକାରୀ ସୟଦ ରଜା ଅବ୍ବାସ ଜୈଦି ରାୱଲପିଣ୍ଡିର ବାନି ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ଯେ ଗତ ଏକ ମାସ ଧରି ମନ୍ଦିରର ନିର୍ମାଣ ଓ ନବୀକରଣ କାର୍ଯ୍ୟ ଚାଲିଛି । ସେ କହିଛନ୍ତି ଯେ ମନ୍ଦିର ସମ୍ମୁଖରେ ଜାଗାକୁ କିଛି ଲୋକ ଜବରଦଖଲ କରି ରଖିଥିଲେ, ଯାହା ୨୪ ମାର୍ଚ୍ଚରେ ହଟାଯାଇଥିଲା । ମନ୍ଦିରରେ ଧାର୍ମିକ କାର୍ଯ୍ୟକଳାପ ଆରମ୍ଭ ହୋଇନାହିଁ ଏବଂ ସେଠାରେ ପୂଜା ପାଇଁ କୌଣସି ଦେବାଦେବୀଙ୍କ ମୂର୍ତ୍ତି ରଖାଯାଇ ନାହିଁ।

ଯେଉଁମାନେ ମନ୍ଦିର ଏବଂ ଏହାର ପବିତ୍ରତାକୁ ନଷ୍ଟ କରିଛନ୍ତି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଜୈଦି ଦାବି କରିଛନ୍ତି।

ଏହାପୂର୍ବରୁ ଦୀର୍ଘ ସମୟ ଧରି ମନ୍ଦିର ଚାରିପାଖରେ କିଛି ଲୋକ ଦୋକାନ ଗୃହ କରି ସେହି ଅଞ୍ଚଳ ଜବରଦଖଲ କରି ରଖିଥିଲେ। ପୋଲିସ ସହାୟତାରେ ଜିଲ୍ଲା ପ୍ରଶାସନ ନିକଟରେ ସବୁ ଜବରଦଖଲ ଉଚ୍ଛେଦ କରିଛି। ଜବରଦଖଲ ଉଚ୍ଛେଦ ହେବା ପରେ ମନ୍ଦିର ନବୀକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା।

ମନ୍ଦିର ପ୍ରଶାସକ ଓମ ପ୍ରକାଶ ଆକ୍ରମଣ ହୋଇଥିବା କଥା ସ୍ପଷ୍ଟ କରି କହିଛନ୍ତି ଯେ ସୂଚନା ପାଇବା ମାତ୍ରେ ରାୱଲପିଣ୍ଡିର ପୋଲିସ କର୍ମଚାରୀ ସେଠାରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଦି ଏକ୍ସପ୍ରେସ ଟ୍ରିବ୍ୟୁନର ଖବର ଅନୁଯାୟୀ ପ୍ରକାଶ କହିଛନ୍ତି ଯେ ତାଙ୍କ ଘର ଓ ମନ୍ଦିର ବାହାରେ ପୋଲିସ ମୁତୟନ ହୋଇଛି। ତେବେ ମନ୍ଦିରରେ ହୋଲି ପାଳନ କରାଯିବ ନାହିଁ ବୋଲି ସେ କହିଛନ୍ତି।

Comments are closed.