କୋଭିଡ୍ ଟିକାର ଦ୍ୱିତୀୟ ଡୋଜ୍ ନେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ – ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିଲ୍ଲୀ ଏମ୍ସରେ କୋଭିଡ୍‌-୧୯ ଟିକାର ଦ୍ୱିତୀୟ ଡୋଜ୍ ନେଇଛନ୍ତି । ମୋଦି ସ୍ୱଦେଶୀ ଟିକା ‘କୋଭାକ୍ସିନ’ର ଦ୍ୱିତୀୟ ଡୋଜ୍ ଗ୍ରହଣ କରିଛନ୍ତି । ସେ ମାର୍ଚ୍ଚ ୧ରେ ପ୍ରଥମ ଡୋଜ୍ ନେଇଥିଲେ ।

ଦ୍ୱିତୀୟ ଡୋଜ୍ ନେବା ପରେ ମୋଦି ଟ୍ୱିଟ୍ କରି ଏହି ସୂଚନା ଦେବା ସହ ଲୋକମାନଙ୍କୁ ଟିକା ନେଇ କରୋନାକୁ ହରାଇବା ପାଇଁ ଅପିଲ କରିଛନ୍ତି । ସେ କହିଛନ୍ତି ଯେ, କରୋନାକୁ ରୋକିବା ପାଇଁ ଯାହାସବୁ ସ୍ୱଳ୍ପ ବିକଳ୍ପ ରହିଛି ତହିଁ ମଧ୍ୟରୁ ଟିକାକରଣ ଅନ୍ୟତମ । ସବୁ ଯୋଗ୍ୟ ବ୍ୟକ୍ତି ତୁରନ୍ତ ଟିକା ନିଅନ୍ତୁ । ଏଥିପାଇଁ କୋ-ୱିନ୍ ଆପ୍‌ରେ ନିଜ ନାମ ପଞ୍ଜିକରଣ କରନ୍ତୁ ।

ପୁଡୁଚେରୀର ନର୍ସ ପି.ନିବେଦା ଓ ପଞ୍ଜାବର ନିଶା ଶର୍ମା ପ୍ରଧାନମନ୍ତ୍ରୀଙ୍କୁ ଟିକା ଦେଇଥିଲେ । ନିବେଦା ମଧ୍ୟ ମାର୍ଚ୍ଚ ୧ରେ ମୋଦିଙ୍କୁ ପ୍ରଥମ ଡୋଜ୍ ଦେଇଥିଲେ । ମୋଦିଙ୍କୁ ଦ୍ୱିତୀୟ ଡୋଜ୍ ଦେବା ପରେ ନିବେଦା କହିଛନ୍ତି ଦ୍ୱିତୀୟ ଥର ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ସୁଯୋଗ ପାଇଲେ ଓ ତାଙ୍କ ସହ କଥାବାର୍ତ୍ତା କଲେ । ଅନ୍ୟପକ୍ଷେ ପ୍ରଥମ ଥର ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ସୁଯୋଗ ପାଇଥିବା ପଞ୍ଜାବର ନର୍ସ ନିଶା ଏହାକୁ ତାଙ୍କ ପାଇଁ ସ୍ମରଣୀୟ ମୁହୂର୍ତ୍ତ ବୋଲି କହିଛନ୍ତି ।

ଏପ୍ରିଲ ୧ରେ ଭାରତରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ସବୁ ଲୋକଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଛି ।

 

Comments are closed.