ଯାଜପୁର ବସ୍ ଦୁର୍ଘଟଣାରେ ୫ ମୃତ, ମୃତକଙ୍କ ଆତ୍ମୀୟଙ୍କୁ ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଯାଜପୁର – ଯାଜପୁରରେ ବସ୍ ଦୁର୍ଘଟଣା । ଜାତୀୟ ରାଜପଥର କୁଆଖିଆ ବାରବାଟୀ ଛକ ଅଞ୍ଚଳରେ ଏକ ଯାତ୍ରୀ ବାହୀ ବସ୍ ଭାରସାମ୍ୟ ହରାଇ ଫ୍ଲାଇ ଓଭରରୁ ତଳକୁ ଖସି ପଡିବା ଯୋଗୁଁ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ପ୍ରାୟ ୪୦ ଜଣ ଆହତ ହୋଇଛନ୍ତି। ୧୫ ଜଣ ଗୁରୁତର ଆହତଙ୍କୁ ଏସସିବି ନିଆଯାଇଛି। ବସଟି କୋଲକାତାରୁ ଭୁବନେଶ୍ୱର ଯାଉଥିଲା ।

ଦୁର୍ଘଟଣାରେ ୫ ଜଣ ଯାତ୍ରୀଙ୍କ ପ୍ରାଣ ହରାଇବା ଖବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହାସହିତ ଆହତ ବ୍ୟକ୍ତିମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ‌ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Comments are closed.