ନିର୍ବାଚନ ପ୍ରସ୍ତୁତି: ଜିଲ୍ଲାପାଳ ଓ ଏସ୍‌ପିମାନଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବୈଠକ

ଭୁବନେଶ୍ୱର – ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିମାନଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଭାସି ମାଧ୍ୟମରେ ଏକ ଗୁରୁତ୍ଵପୂର୍ଣ୍ଣ ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲାସ୍ତରରେ ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ସାଧାରଣ ପ୍ରଶାସନ ଓ ପୋଲିସ ପ୍ରଶାସନ କିଭଳି ମିଳିତ ଭାବରେ ଆସନ୍ତା ସାଧାରଣ ନିର୍ବାଚନକୁ ମୁକ୍ତ , ଅବାଧ ଓ ନିରପେକ୍ଷ ଭାବରେ ପରିଚାଳନା କରିବେ ସେ ବିଷୟରେ ମୁଖ୍ୟ ନିର୍ବାଚନ ଅଧିକାରୀ ଆଲୋଚନା କରିଥିଲେ । ମତଦାତାଙ୍କ ସୁବିଧା ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ‘ ମତଦାତା ମାର୍ଗଦର୍ଶିକା ’ ନାମକ ଏକ ପକେଟ୍ ବୁକ୍ ରାଜ୍ୟର ସମସ୍ତ ପରିବାରକୁ ଯୋଗାଇ ଦିଆଯିବ । ଏହାକୁ ପଢ଼ି ସେମାନେ ମତଦାନ ବିଷୟରେ ଅତି ସହଜରେ ଜାଣିପାରିବେ । ଏହି ପକେଟ୍ ବୁକ୍‌ଟି ବିଏଲ୍‌ଓମାନଙ୍କ ଦ୍ଵାରା ସମସ୍ତ ପରିବାରକୁ ଯୋଗାଇ ଦିଆଯିବ । ମତଦାନ ହାର ବଢ଼ାଇବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ବହୁ ଅଭିନବ ପ୍ରୟାସ କରାଯାଉଛି । ସେସବୁକୁ ତୃଣମୂଳ ସ୍ତରରେ ରୂପେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ ।

ସମସ୍ତ ଜିଲ୍ଲାର ଏସ୍‌ପିମାନଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରକ୍ଷା ସମ୍ବନ୍ଧୀୟ ଆଲୋଚନା କରି ନିର୍ବାଚନକୁ ସଂପୂର୍ଣ୍ଣ ରୂପେ ହିଂସାମୁକ୍ତ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଜିଲ୍ଲାସ୍ତରୀୟ ଟ୍ରେନିଂ , ଇଭିଏମ୍ ସୁରକ୍ଷା , ନିର୍ବାଚନରେ ନିୟୋଜିତ ହେବାକୁ ଥ‌ିବା ବିଭିନ୍ନ ଟିମ୍ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ମଡେଲ୍ ପୋଲିଂ ବୁଥ୍ ବିଷୟରେ ଆଲୋଚନା କରାଯାଇ ସଂପୂର୍ଣ୍ଣ ରୂପେ ମହିଳା ପରିଚାଳିତ ବୁଥ୍ , ଯୁବ କର୍ମଚାରୀ ପରିଚାଳିତ ବୁଥ୍ ଓ ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ବୁଥ୍‌ଗୁଡ଼ିକ ବିଭିନ୍ନ ଜିଲ୍ଲାରେ କିଭଳି ଭାବରେ କାର୍ଯ୍ୟକାରୀ ହେବ ମୁଖ୍ୟ ନିର୍ବାଚନ ଅଧିକାରୀ ସେସବୁର ସମୀକ୍ଷା କରିଥିଲେ ।

ବୈଠକରେ ରାଜ୍ୟ ପୋଲିସ ନୋଡାଲ ଅଧିକାରୀ ସଞ୍ଜୟ କୁମାର ( ଏଡ଼ିଜି ) ମଧ୍ୟ ଯୋଗ ଦେଇ ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଏହି ଆଭାସୀ ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ଏନ୍ . ତିରୁମାଲା ନାଏକ , ଶତ୍ରୁଘ୍ନ କର , ମିହିର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ ।

Comments are closed.