ପନ୍ତ ଆଇପିଏଲ୍ ପାଇଁ ଫିଟ୍ ଘୋଷିତ, ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ୍ ଭାବେ ଫେରିବେ

ନୂଆଦିଲ୍ଲୀ: ବିସିସିଆଇ ମଙ୍ଗଳବାର ରିଷଭ ପନ୍ତଙ୍କୁ ଆଗାମୀ ଆଇପିଏଲ୍ ସିଜନରେ ୱିକେଟ୍ କିପର୍ ବ୍ୟାଟ୍ସମ୍ୟାନ୍ ଭାବେ ଖେଳିବାକୁ ଫିଟ୍ ଘୋଷଣା କରିଛି । ଏଥିସହ ଟି-୨୦ ବିଶ୍ୱକପ୍ ପାଇଁ ପନ୍ତଙ୍କ ଜାତୀୟ ଦଳକୁ ଫେରିବା ସମ୍ଭାବନା ବଢ଼ିଛି।  ପନ୍ତ ୧୪ ମାସ ପୂର୍ବେ ଏକ ଭୟଙ୍କର କାର୍ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ।
ପନ୍ତ ଆଇପିଏଲ ୨୦୨୪ରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଭାବେ ଫେରିବେ । ଏହି ଷ୍ଟାର ଖେଳାଳି ବିସ୍ତୃତ ରିହାବ୍ ପ୍ରକ୍ରିୟା ପରେ ମାର୍ଚ୍ଚ ୨୨ରୁ ଆରମ୍ଭ ହେଉଥିବା ଟୁର୍ଣ୍ଣାମେଣ୍ଟରେ ଦ୍ବୈତ ଦାୟିତ୍ଵ ତୁଲାଇବାକୁ ପ୍ରସ୍ତୁତ । ଏଥିସହ ଲିଗରେ ତାଙ୍କର ଭୂମିକା ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି ।
ବିସିସିଆଇ ଏକ ବିବୃତ୍ତିରେ କହିଛି, ଡିସେମ୍ବର ୨୦, ୨୦୨୨ରେ ଉତ୍ତରାଖଣ୍ଡର ରୁରକି ନିକଟରେ ଏକ ଭୀଷଣ ସଡ଼କ ଦୁର୍ଘଟଣାରେ ଆହତ ହେବା ପରେ ୧୪ ମାସର ରିହାବ୍ ଓ ଫିଟନେସ୍ ପ୍ରକ୍ରିୟା ଦେଇ ଅତିକ୍ରମ କରିବା ପରେ ରିଷଭ ପନ୍ତଙ୍କୁ ଆଗାମୀ ଆଇପିଏଲ୍ ୨୦୨୪ ପାଇଁ ୱିକେଟ୍ କିପର ଭାବରେ ନାମିତ କରାଯାଇଛି। ଜଣେ ବ୍ୟାଟ୍ସମ୍ୟାନ୍ ଭାବେ ସେ ଫିଟ୍ ଘୋଷିତ ହୋଇଛନ୍ତି।
ଜୁନ୍ ମାସରେ ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ଟି-୨୦ ବିଶ୍ୱକପ୍ ଅନୁଷ୍ଠିତ ହେବ। ଆଇପିଏଲ୍ ପ୍ରତ୍ୟାବର୍ତ୍ତନ ସହ ପନ୍ତ ଏହି ମେଗା ଇଭେଣ୍ଟ ପାଇଁ ଚୟନ ଲାଗି ଉପଲବ୍ଧ ହେବେ ବୋଲି ଆଶା କରାଯାଉଛି ।
କିଛି ସପ୍ତାହ ତଳେ ‘ଷ୍ଟାର୍ ସ୍ପୋର୍ଟସ୍’ ସହ ସାକ୍ଷାତକାରରେ ପନ୍ତ କହିଥିଲେ, ତାଙ୍କର ମନେ ଅଛି ସେ ତାଙ୍କ ଡ଼ାକ୍ତରଙ୍କୁ କହିଥିଲେ ଧାର୍ଯ୍ୟ ସମୟସୀମାର ୬ ମାସ ପୂର୍ବରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ।
ପନ୍ତ କହିଥିଲେ, “ମୁଁ ଡାକ୍ତରଙ୍କୁ ପଚାରିଲି ମୋତେ ସୁସ୍ଥ ହେବାକୁ କେତେ ସମୟ ଲାଗିବ । ମୁଁ ତାଙ୍କୁ କହିଲି ଯେ ସମସ୍ତେ ଭିନ୍ନ ଭିନ୍ନ କଥା କହୁଛନ୍ତି କିନ୍ତୁ ଆପଣ ମୋତେ ଏନେଇ  ସ୍ପଷ୍ଟ କରନ୍ତୁ | ସେ (ଡାକ୍ତର) କହିଥିଲେ ମୋତେ ସୁସ୍ଥ ହେବାକୁ ୧୬ ରୁ ୧୮ ମାସ ଲାଗିବ | ମୁଁ ଡାକ୍ତରଙ୍କୁ କହିଥିଲି, ଆପଣ ମୋତେ ଯେତିକି ସମୟସୀମା ଦିଅନ୍ତୁ ନା କାହିଁକି ମୁଁ ସେଥିରୁ ୬ ମାସ କମ୍ କରିଦେବି ।
ଖେଳକୁ ଫେରିବା ପାଇଁ ସମସ୍ତ ଫିଟନେସ୍ ପରୀକ୍ଷାରେ ପାସ୍ ହେବା ପରେ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ) ତାଙ୍କୁ ସପ୍ତାହକ ପୂର୍ବରୁ ଫିଟ୍ ଘୋଷଣା କରିଥିଲା। ପନ୍ତ ଏନସିଏ ଦ୍ୱାରା ପ୍ରସ୍ତୁତ ମ୍ୟାଚ୍ ଭଳି ପରିସ୍ଥିତିରେ ଅଧିକ ସମୟ ବ୍ୟାଟିଂ କରିଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ବହୁ ସମୟ ଧରି ୱିକେଟ୍ କିପିଂ ମଧ୍ୟ କରିଥିଲେ ।
ପନ୍ତ ଆଇପିଏଲରେ କେବଳ ଜଣେ ‘ଇମ୍ପାକ୍ଟ ପ୍ଲେୟାର’ କିମ୍ବା ବ୍ୟାଟ୍ସମ୍ୟାନ୍ ଭାବେ ଖେଳିପାରନ୍ତି ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ଗତ ୬ ବର୍ଷ ମଧ୍ୟରେ ଭାରତର ସବୁଠୁ ବଡ଼ ମ୍ୟାଚ୍ ବିଜେତା ସାଜିଥିବା ପନ୍ତ ଉଭୟ ଭୂମିକାରେ ଫେରିବାକୁ ପ୍ରସ୍ତୁତ।
ପନ୍ତଙ୍କ ୱିକେଟ୍ କିପିଂ କରିବା ଅର୍ଥ ଯଦି ସେ ଆଇପିଏଲରେ କିଛି ପ୍ରଭାବୀ ଇନିଂସ ଖେଳନ୍ତି, ତେବେ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳରେ ତାଙ୍କୁ ସ୍ଥାନ ମିଳିପାରିବ ।
ଗତ ବର୍ଷ ଆଇପିଏଲ୍ ନିଲାମ ସମୟରେ ପନ୍ତ କ୍ୟାପିଟାଲ୍ସ ଅଧିକାରୀଙ୍କ ସହ ଉପସ୍ଥିତ ଥିଲେ । ସେ ଦୁର୍ଘଟଣା ପରଠାରୁ ଏନସିଏରେ ତାଙ୍କ ଫିଟନେସ୍ ଉପରେ ନିରନ୍ତର କାମ କରିଆସୁଥିଲେ ।
କାର୍ ଦୁର୍ଘଟଣାରେ ପନ୍ତଙ୍କ ଡାହାଣ ଆଣ୍ଠୁରେ ଗଭୀର ଆଘାତ ଲାଗିଥିଲା, ଯେଉଁଥିପାଇଁ ସର୍ଜରୀ କରିବାକୁ ପଡିଥିଲା।

Comments are closed.