ଦଶମ ଦିନରେ ଆଦିବାସୀ ମେଳା: ଜନଜାତିଙ୍କ ଜୀବିକାର୍ଜନ ଓ ସଶକ୍ତିକରଣର ନିଆରା ଚିତ୍ର

ଭୁବନେଶ୍ୱର : ଓଡ଼ିଶାରେ ଆର୍ଥିକ ଦିଗରୁ ଗରିବ ଓ ଉପେକ୍ଷିତ ଅବସ୍ଥାରେ ରହିଥିବା ବିଶାଳ ଆଦିବାସୀ ବର୍ଗଙ୍କୁ ପ୍ରଗତିର ସ୍ରୋତରେ ସାମିଲ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ଜନଜାତି ବର୍ଗର ଲୋକଙ୍କ ପାଇଁ ଜୀବିକା ବା ରୋଜଗାରର ପନ୍ଥା ବାହାର କରିବା ସରକାରଙ୍କ ଆଗରେ ବଡ଼ ଆହ୍ବାନ୍ ସୃଷ୍ଟି କରିଛି । ସେଥିପାଇଁ ସରକାର ଗତ କିଛି ବର୍ଷ ହେଲା ଆଦିବାସୀଙ୍କ କଲ୍ୟାଣ ନିମନ୍ତେ ଦୁଇଟି ବଡ଼ କାର୍ଯ୍ୟକ୍ରମ ଜନଜାତି ଅଧୁଷିତ ଜିଲ୍ଲା ଗୁଡିକରେ କାର୍ଯ୍ୟକାରୀ କରୁଛନ୍ତି ।

ଓଡ଼ିଶା ଆଦିବାସୀ ସଶକ୍ତିକରଣ ଓ ଜୀବିକା ଅର୍ଜନ ପ୍ଲସ୍ ନାମରେ ଏକ ଯୋଜନା ୨୦୧୧ ମସିହାରେ ପ୍ରଥମେ କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଆରମ୍ଭ ହୋଇଥିବା ବେଳେ ଏବେ ଆଉ ଆଠଟି ଜିଲ୍ଲା ନବରଙ୍ଗପୁର , ଗଜପତି , କନ୍ଧମାଳ , କଳାହାଣ୍ଡି , ରାୟଗଡ଼ା , କେନ୍ଦୁଝର , ମୟୂରଭଞ୍ଜ ଓ ସୁନ୍ଦରଗଡ଼କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି ।

ସଶକ୍ତିକରଣ ଦିଗରେ ଜନଜାତିଙ୍କ ଦକ୍ଷତା ବୃଦ୍ଧି , ଜୀବିକାର ଉନ୍ନତିକରଣ ଓ ଉନ୍ନୟନ ମୂଳକ ପାଣ୍ଠିର ବ୍ୟବସ୍ଥା କରିବା ଏହି କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ । ଆଦିବାସୀ ମାନଙ୍କ ମଧ୍ୟରେ ଥିବା ଦେଶୀୟ ଜ୍ଞାନ କୌଶଳର ଉପଯୋଗ ଦ୍ୱାରା ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବା , ଗରିବ ଆଦିବାସୀ ପରିବାରଙ୍କ ଜୀବିକାର୍ଜନ ନିମନ୍ତେ ଅଣକୃଷି କ୍ଷେତ୍ରକୁ ପ୍ରୋତ୍ସାହନ ଦେବା , ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ତଥା ଫଚାୟତିରାଜ ଅନୁଷ୍ଠାନକୁ ସହଭାଗିତା ଜରିଆରେ ସାମିଲ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ । ସେହିପରି ରାଜ୍ୟର ଜନଜାତି ମାନଙ୍କର ଜୀବନ ଜୀବିକାରେ ପରିବର୍ତନ ଆଣିବାକୁ ୨୦୧୬ – ୧୭ ମସିହାରୁ ‘ ଓଡ଼ିଶା ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ କାର୍ଯ୍ୟକ୍ରମ ’ ନାମରେ ଆଉ ଏକ ଯୋଜନା ହାତକୁ ନିଆଯାଇଛି । ଏହି କାର୍ଯ୍ୟକ୍ରମରେ କୃଷି ଉନ୍ନୟନ ପାଣ୍ଠି ( ଆଇ.ଏଫ୍.ଏ.ଡି ) ସହାୟତାର ହାତ ବଢ଼ାଇଛି । ରାଜ୍ୟରେ ଚିହ୍ନଟ ହୋଇଥିବା ୧୩ ପ୍ରକାର ଆଦିବାସୀ ସଂପ୍ରଦାୟ ପାଇଁ ୧୭ଟି ଅଣୁ ପ୍ରକଳ୍ପ ଉନ୍ନୟନ ସଂସ୍ଥା ଗଠିତ ହୋଇଛି ଏବଂ ଏହି ସଂସ୍ଥା ଗୁଡିକ ୧ ୨ଟି ଜିଲ୍ଲାରେ କାର୍ଯ୍ୟ କରୁଛି ।

ଜୀବିକାର୍ଜନର ପନ୍ଥା ବାହାର କରିବା ପାଇଁ ଉଦ୍ଦିଷ୍ଟ ଏହି ଦୁଇଟି କାର୍ଯ୍ୟକ୍ରମର ସଫଳତାର ଚିତ୍ର ପ୍ରତିଫଳିତ ହୋଇଛି ରାଜଧାନୀର ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଏ ବର୍ଷର ଆଦିବାସୀ ମେଳାରେ । ଏହି ଦୁଇଟି କାର୍ଯ୍ୟକ୍ରମର ଆର୍ଥିକ ସହାୟତାରେ ବିକଶିତ ବିଭିନ୍ନ ଆଦିବାସୀ ଉନ୍ନୟନ ସଂସ୍ଥା ସେମାନଙ୍କ ଦ୍ଵାରା ପ୍ରସ୍ତୁତ ଆକର୍ଷଣୀୟ ସାମଗ୍ରୀ ଗୁଡିକୁ ଧରି ଆସିଛନ୍ତି ଏହି ମେଳାକୁ ।

କେତେକ ଷ୍ଟଲରେ ସେମାନଙ୍କ ସାମଗ୍ରୀ ଗୁଡିକର ପ୍ରଦର୍ଶନ ଓ ବିକ୍ରି ଖୁବ୍ ଜମୁଥୁବାର ଲକ୍ଷ୍ୟ କରାଯାଉଛି । ଆଜି ଥିଲା ଆଦିବାସୀ ମେଳାର ଦଶମ ଦିନ ।

ପୂର୍ବାହ୍ନ ଅପେକ୍ଷା ଅପରାହ୍ନରେ ଅଧିକ ଦର୍ଶକ ମେଳା ପରିସରକୁ ଆସି ନିଜ ନିଜର ପସନ୍ଦର ଘରକରଣା ସାମଗ୍ରୀ କ୍ରୟ କରିଥିଲେ । କେତେକ ମହିଳା ସେମାନଙ୍କ ଶିଶୁ ସନ୍ତାନକୁ କୋଳରେ କାଖରେ ଧରି ବିଭିନ୍ନ ଷ୍ଟଲରେ ଜିନିଷ କିଣୁଥିବାର ଦୃଶ୍ୟ ନଜରକୁ ଆସିଥିଲା ।

Comments are closed.