ମୋଦି ସରକାରର ନୋଟ୍‌ବନ୍ଦୀ ନିଷ୍ପତ୍ତି ଯୋଗୁଁ ଦେଶରେ ବେକାରୀ ବଢ଼ିଛି : ମନମୋହନ ସିଂହ

ଥିରୁଭନନ୍ତପୁରମ – ମୋଦି ସରକାର ଉପରେ ବର୍ଷିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହ । ମନମୋହନ କହିଛନ୍ତି ଯେ, ୨୦୧୬ରେ ବିନା ବିଚାର-ବିମର୍ଷରେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ନେଇଥିବା ନୋଟ୍‌ବନ୍ଦୀ ନିଷ୍ପତ୍ତି ଯୋଗୁଁ ଦେଶରେ ବେକାରୀ ସମସ୍ୟା ଚରମ ସୀମାରେ ପହଞ୍ଚିଛି ଏବଂ ଅନୌପଚାରିକ କ୍ଷେତ୍ରର ଅବସ୍ଥା ବେହାଲ ହୋଇଯାଇଛି ।

ରାଜ୍ୟମାନଙ୍କ ସହ ନିୟମିତ ପରାମର୍ଶ ନ କରବା ନେଇ ମଧ୍ୟ ମୋଦି ସରକାରକୁ ମନମୋହନ ସମାଲୋଚନା କରିଛନ୍ତି ।
କେରଳରେ ରାଜୀବ ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଭଲପମେଣ୍ଟାଲ୍ ଷ୍ଟଡିଜ୍ ଦ୍ୱାରା ଆୟୋଜିତ ଏକ ବିକାଶ ସମ୍ମିଳନୀର ଉଦ୍‌ଘାଟନ କରି ମନମୋହନ କେନ୍ଦ୍ର ସରକାରର ନୀତି ଉପରେ ଏଭଳି ଟିପ୍ପଣୀ କରିଛନ୍ତି ।

ସେ କହିଛନ୍ତି ଯେ, ବିତ୍ତୀୟ ନିଅଣ୍ଟ ସଙ୍କଟକୁ ଲୁଚାଇବା ପାଇଁ କେନ୍ଦ୍ର ସରକାର ଓ ଆର୍‌ବିଆଇ ଦ୍ୱାରା ହୋଇଥିବା ଅସ୍ଥାୟୀ ଉପାୟ ଦ୍ୱାରା ମଧ୍ୟମ ଓ ଲଘୁ ଉଦ୍ୟୋଗ କ୍ଷେତ୍ର (ଏମ୍‌ଏସ୍‌ଏମ୍‌ଇ)ଙ୍କ ଉପରେ ଋଣ ସଙ୍କଟ ବଢ଼ିବ ଓ ଏହି କ୍ଷେତ୍ର ପ୍ରଭାବିତ ହେବ । ଏଭଳି ସ୍ଥିତିର ଆମେ ଅଣଦେଖା କରିପାରିବା ନାହିଁ ।

ଦେଶରେ ବେକାରୀ ସମସ୍ୟା ଚରମ ସୀମାରେ ପହଞ୍ଚିଛି ଏବଂ ଅନøପଚାରିକ କ୍ଷେତ୍ର ଗୁଡିକ ଅବସ୍ଥା ଦୟନୀୟ ହୋଇପଡିଛି । ୨୦୧୬ରେ ବିନା ବିଚାର-ବିମର୍ଷରେ ମୋଦି ସରକାର ନେଇଥିବା ନୋଟ୍‌ବନ୍ଦୀ ନିଷ୍ପତ୍ତି ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ବୋଲି ଡ.ମନମୋହନ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସଂଘୀୟ ବ୍ୟବସ୍ଥା ଓ ରାଜ୍ୟମାନଙ୍କ ସହ ନିୟମିତ ପରାମର୍ଶ ଭାରତର ଅର୍ଥନୈତିକ ଓ ରାଜନୈତିକ ଆଦର୍ଶର ଭିତ୍ତିଭୂମି ଥିଲା । କିନ୍ତୁ ଏବେ ଏହାକୁ ଗୁରୁତ୍ୱ ଦିଆଯାଉ ନାହିଁ ।

Comments are closed.