ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ: ସାହସିକତା , ଉଲ୍ଲେଖନୀୟ ତଥା ବିଶିଷ୍ଟ ସେବା ନିମନ୍ତେ ୫୦ ଜଣଙ୍କୁ ମିଳିଲା ରାଷ୍ଟ୍ରପତି ଓ ରାଜ୍ୟପାଳ ପଦକ 

ଭୁବନେଶ୍ୱର – ୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟ ଆରକ୍ଷୀ ବାହିନୀ , ରାଜ୍ୟ ଅଗ୍ନିଶମ , ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀ ଏବଂ ଓଡ଼ିଶା କାରାଗାର ସଂସ୍ଥା ଓ ସଂସ୍କାର ସେବାର ମୋଟ ୫୦ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ଆଜି ରାଜ୍ୟପାଳ ରଘୁବର ଦାସ ୨୦୨୩ ମସିହା ପାଇଁ ରାଷ୍ଟ୍ରପତି ଓ ରାଜ୍ୟପାଳ ପଦକ ପ୍ରଦାନ କରିଛନ୍ତି । ଆଜି ସ୍ଥାନୀୟ ଲୋକସେବା ଭବନ କନ୍‌ଭେନ୍‌ସନ୍ ହଲ୍‌ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ରାଜ୍ୟ ଆରକ୍ଷୀ ବାହିନୀର ୪ ଜଣଙ୍କୁ ସେମାନଙ୍କ ମାଓ ବିରୋଧ ଅଭିଯାନ ପାଇଁ ରାଷ୍ଟ୍ରପତିଙ୍କ ଦ୍ଵାରା ପ୍ରଦତ୍ତ ସାହସିକତା ପଦକ ଓ ମାନପତ୍ର ପ୍ରଦାନ କରିଥିଲେ । ସେହିପରି ଦୁଇଜଣ ଆରକ୍ଷୀ ଅଧିକାରୀଙ୍କୁ ତାଙ୍କର ବିଶିଷ୍ଟ ସେବା ନିମନ୍ତେ ରାଷ୍ଟ୍ରପତି ପଦକ ସହ ୧୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଓ ମାନପତ୍ର ପ୍ରଦାନ କରାଯାଇଥିବାବେଳେ ୧୧ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ତାଙ୍କର ଉଲ୍ଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତି ପଦକ ସହ ୭ ହଜାର ୫୦୦ ଟଙ୍କାର ପ୍ରୋତ୍ସାହନ ରାଶି ଓ ମାନପତ୍ର ପ୍ରଦାନ କରାଯାଇଥିଲା ।

୨୦୨୩ ମସିହା ସ୍ଵାଧୀନତା ଦିବସ ନିମନ୍ତେ ରାଜ୍ୟ ଆରକ୍ଷୀ ବାହିନୀର ୨୦ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ରାଜ୍ୟପାଳ ପଦକ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ରାଜ୍ୟ ଅଗ୍ନିଶମ ସେବା ବର୍ଗର ଜଣଙ୍କୁ ୨୦୨୩ ସ୍ଵାଧୀନତା ଦିବସ ପାଇଁ ରାଷ୍ଟ୍ରପତିଙ୍କ ପ୍ରଦତ୍ତ ସାହସିକତା ପଦକ ପ୍ରଦାନ କରାଯାଇଥିବାବେଳେ ଦୁଇଜଣଙ୍କୁ ପ୍ରଶଂସନୀୟ ସେବା ପଦକ ପ୍ରଦାନ କରାଯାଇଥିଲା I ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀ ବର୍ଗରେ ୩ ଜଣଙ୍କୁ ରାଷ୍ଟ୍ରପତିଙ୍କ ପ୍ରଦତ୍ତ ପ୍ରଶଂସନୀୟ ସେବା ପଦକ ପ୍ରଦାନ କରାଯାଇଥିଲା । ଅଗ୍ନିଶମ ଓ ଜରୁରୀକାଳୀନ ସେବା ବର୍ଗର ଦୁଇଜଣ ଅଧିକାରୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ ସେବା ନିମନ୍ତେ ୨୦୨୩ ସ୍ଵାଧୀନତା ଦିବସ ପାଇଁ ରାଜ୍ୟପାଳ ପଦକ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଓଡ଼ିଶା କାରାଗାର ସଂଗଠନରେ କାର୍ଯ୍ୟରତ ୫ ଜଣ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠ ଓ ବୃତ୍ତିଗତ ନୈପୁଣ୍ୟ ପାଇଁ ୨୦୨୩ ସ୍ଵାଧୀନତା ଦିବସ ପାଇଁ ପ୍ରଶଂସନୀୟ ସଂସ୍କାର ସେବା ପଦକ , ୭୫୦୦ ଟଙ୍କାର ପ୍ରୋତ୍ସାହନ ରାଶି ଓ ମାନପତ୍ର ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ୨୦୨୪ ସାଧାରଣତନ୍ତ୍ର ଦିବସ ପାଇଁ ପଦକ ତାଲିକା ଘୋଷଣା କରାଯାଇଥିଲା । ଏଥିରେ ସାହସିକତା , ବିଶିଷ୍ଟ ସେବା ଓ ଉଲ୍ଲେଖନୀୟ ସେବା ପାଇଁ ୩୩ ଜଣଙ୍କ ନାମ ଘୋଷଣା ହୋଇଛି । ଏହି ଅବସରରେ ଅତିଥି ଭାବେ ଉପସ୍ଥିତ ରହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟପାଳ ରଘୁବର ଦାସ ମୁଖ୍ୟ ପଦକ , ମାନପତ୍ର ଓ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ,ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.