ମହାନଦୀରୁ ଉଦ୍ଧାର ହେଲା ତୃତୀୟ ମୃତଦେହ, ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଲା

ସମ୍ବଲପୁର: ଗତକାଲି ମହାନଦୀରେ ଗୋଟିଏ ପରିବାରର ୩ ଜଣ ଭାସିଯାଇଥିବା ବେଳେ ଆଜି ତୃତୀୟ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ବାପା ଏବଂ ପୁଅଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ଝିଅକୁ ମୃତ ଅବସ୍ଥାରେ ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି ।

ଗତକାଲି ଅପରାହ୍ନରେ ସମ୍ବଲପୁର ସହରର ପେନସନ ପଡାର ରୁକସାନା (୧୨) ଓ ଭାଇ ଅବତାବ (୧୦) ରିଂରୋଡ କଡରେ ମହାନଦୀରେ ଗାଧୋଉଥିଲେ । ଏହି ସମୟରେ ଉଭୟେ ଭାସି ଯାଇଥିଲେ । ଏମାନଙ୍କୁ ଉଦ୍ଧାର ପାଇଁ ବାପା ଏମଡି ଅଲତାବ(୪୦) ମଧ୍ୟ ନଦୀକୁ ଡେଇଁ ପଡିଥିଲେ । ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହିତ ଅଗ୍ନିଶମ ବାହିନୀ ସେମାନଙ୍କ ମଧ୍ୟରୁ ପୁଅ ଅବତାବ ଏବଂ ବାପା ଅଲତାବଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିବା ବେଳେ ଡାକ୍ତରଖାନାରେ ଉଭୟଙ୍କୁ ମୃତ ଘୋଷଣା କରାଯାଇଥିଲା । ସେପଟେ ସନ୍ଧ୍ୟା ଯାଏ ଅଗ୍ନିଶମ ବାହିନୀ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହିତ ଖୋଜାଖୋଜି କରିଥିଲେ ହେଁ ଝିଅ ରୁକସାନାଙ୍କ ପତ୍ତା ମିଳିପାରିନଥିଲା । ଆଜି ସକାଳୁ ପୁଣି ଆରମ୍ଭ ହୋଇଥିଲା ଉଦ୍ଧାର କାମ । ଶେଷରେ ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ଝିଅ ରୁକସାନାକୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି । ସେପଟେ ଏହି ଘଟଣାକୁ ନେଇ ସାରା ସମ୍ବଲପୁରରେ ଶୋକର ଛାୟା ଖେଳିଯାଇଛି ।

Comments are closed.