ଲକ୍ଷ୍ମୀପୁର ହିଂସା: ପ୍ରିୟଙ୍କା ଗାନ୍ଧୀ ଗିରଫ

ଲକ୍ଷ୍ନୌ:ଲକ୍ଷ୍ମୀପୁର ଖେରୀ ହିଂସାରେ ପ୍ରାଣ ହରାଇଥିବା କୃଷକଙ୍କ ପରିବାରକୁ ଭେଟିବାକୁ ଆସିଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ୟୁପି ପୋଲିସ ଗିରଫ କରିଛି। ସୀତାପୁରର ପିଏସି ଗେଷ୍ଟ ହାଉସରେ ୩୦ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଗୃହବନ୍ଦୀ ରହିବା ପରେ ତାଙ୍କୁ ଗିରଫ କରାଯାଇଛି। ଧାରା ୧୪୪ ଉଲ୍ଲଂଘନ ଏବଂ ଶାନ୍ତିଭଙ୍ଗ ଉଦ୍ୟମ ଭଳି ଦଫା ଅଧୀନରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୋଲିସ ତାଙ୍କୁ କିଛି ସମୟ ମଧ୍ୟରେ କୋର୍ଟରେ ହାଜର କରିବ। ସୂଚନାଯୋଗ୍ୟ ଯେ ପ୍ରିୟଙ୍କାଙ୍କ ସମେତ କଂଗ୍ରେସ ସାଂସଦ ଦୀପେନ୍ଦ୍ର ହୁଡା ଏବଂ ୟୁପି କଂଗ୍ରେସ ସଭାପତି ଅଜୟ କୁମାର ଲାଲୁଙ୍କ ସମେତ ପୋଲିସ ୧୧ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି।

ଲକ୍ଷ୍ମୀପର ଖେରୀରେ ରବିବାର ଘଟିଥିବା ହିଂସାରେ ୪ କୃଷକଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ହୋଇଥିଲା । କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ବିକ୍ଷୋଭରତ ଚାଷୀଙ୍କ ଉପରେ ଗାଡ଼ି ଚଢ଼ାଇବା ଅଭିଯୋଗ ହୋଇଥିଲା । ଏନେଇ ତାଙ୍କ ବିରୋଧରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲେ ବି ପୋଲିସ ତାଙ୍କୁ ଗିରଫ କରିନଥିବାରୁ ବିରୋଧୀ ଯୋଗୀ ଆଦିତ୍ୟନାଥ ସରକାରକୁ ସମାଲୋଚନା କରିଛନ୍ତି ।

Comments are closed.