ସୌରଶକ୍ତି ଉତ୍ପାଦନରେ ଓଡ଼ିଶା ହେବ ଏକ ଅଗ୍ରଣୀ ରାଜ୍ୟ 

ଭୁବନେଶ୍ୱର: ଗ୍ରୀନ୍ ଏନର୍ଜି ଡେଭଲପ୍‌ମେଣ୍ଟ କର୍ପୋରେସନ୍ ( ଜିଇଡିସିଓଏଲ୍ ) ଏବଂ ଏନ୍‌ଏଚ୍‌ପିସିର ମିଳିତ ଉଦ୍ୟମରେ ବିଭିନ୍ନ ଜଳାଶୟରେ ଭାସମାନ ସୌର ଶକ୍ତି ପ୍ରକଳ୍ପ କାର୍ଯ୍ୟ କରାଯିବ । ୨୦୧୩ ମସିହାରେ ସବୁଜ ଶକ୍ତି ଉନ୍ନୟନ ନିଗମ ( ଗ୍ରୀନ୍‌ ଏନର୍ଜି ଡେଭଲପ୍‌ମେଣ୍ଟ କର୍ପୋରେସନ୍ ) ଗଠିତ ହେଲା ଏବଂ ଏହା ରାଜ୍ୟରେ ନବୀକରଣ ଶକ୍ତି କାର୍ଯ୍ୟକ୍ରମର ଲକ୍ଷ୍ୟ ପୂରଣ ନିମନ୍ତେ ନେତୃତ୍ଵ ନେଇଥିଲା । ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ୨୦୨୨ ସୁଦ୍ଧା ୧୫୦୦ ମେଗାଓ୍ବାଟ୍ ଶକ୍ତି ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି । ଗ୍ରୀନ୍ ଏନର୍ଜି ଡେଭଲପ୍‌ମେଣ୍ଟ କର୍ପୋରେସନ୍ କ୍ଷେତ୍ରସ୍ତରରେ ୨୦ ମେଗାୱାଟ୍ ଏବଂ ଛାତ ଉପରେ ୪ ମେଗାୱାଟ୍ କ୍ଷମତା ଥିବା ବିଭିନ୍ନ ପ୍ରକଳ୍ପ ସ୍ଥାପନ କରିଛି ।

କ୍ଷେତ୍ରସ୍ତରରେ ସୌର ପ୍ରକଳ୍ପ ସ୍ଥାପନ ପାଇଁ ପର୍ଯ୍ୟାପ୍ତ ପରିମାଣର ଜମିର ଆବଶ୍ୟକତା ଥିବାବେଳେ ଆମ ରାଜ୍ୟର ପଶ୍ଚିମ ଏବଂ ଦକ୍ଷିଣାଞ୍ଚଳଗୁଡ଼ିକ ପାହାଡ଼ିଆ ଜଙ୍ଗଲ ଆଚ୍ଛାଦିତ ଏବଂ ଉପକୂଳ ଅଞ୍ଚଳ ବାତ୍ୟା ଏବଂ ବନ୍ୟାପ୍ରବଣ । ତେଣୁ ରାଜ୍ୟର ଭୌଗୋଳିକ ପରିବେଶ ଅନୁଯାୟୀ କେତେକ ସୀମିତ ଜିଲ୍ଲାରେ ସୌର ପ୍ରକଳ୍ପ ପାଇଁ ଭିତ୍ତିଭୂମି ରହିଛି । ହୀରାକୁଦ ଏବଂ ରେଙ୍ଗାଲି ଜଳାଶୟକୁ ଉପଯୋଗ କରି ଭାସମାନ ସୌର ପ୍ରକଳ୍ପ କରାଯାଇପାରିବ । ୟୁରୋପିଆନ୍ ୟୁନିୟନ୍ , ଆଇଏଫ୍‌ସି ଏବଂ ଏସ୍‌ଇସିଆଇଙ୍କ ସର୍ଭେ ଅନୁଯାୟୀ ଆସନ୍ତା ଦୁଇବର୍ଷ ପାଇଁ ରେଙ୍ଗାଲିକୁ ୫୦୦ ମେଗାୱାଟ୍‌ ଭାସମାନ ସୌରଶକ୍ତି ପ୍ରକଳ୍ପ ପାଇଁ ମନୋନୀତ କରିଛନ୍ତି । ମିଳିତ ଉଦ୍ୟୋଗ କମ୍ପାନୀ ( ଡିପିଆର୍ ) ଏ ବାବଦରେ ସମୁଦାୟ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରି ୧୦୦ ମେଗାୱାଟ୍ ପାଇଁ ଟେଣ୍ଡର ଡାକିବା ସହ ୨୦୦ ମେଗାଓ୍ବାଟ୍ କ୍ଷମତାର ଅନ୍ୟ ଏକ ପ୍ରକଳ୍ପ ପାଇଁ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଶେଷ ଭାବେ ଭାସମାନ ପ୍ରକଳ୍ପ ସ୍ଥାପନ କରି ସୌରଶକ୍ତି ଉତ୍ପାଦନରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ହୋଇପାରିବ ।

Comments are closed.