ବସ୍ -ବୋଲେରୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ୧୩ ଆହତ

ଫୁଲବାଣୀ – କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ଥାନା ଅଧୀନସ୍ଥ ମାଲାନସୁଗା ଛକ ନିକଟରେ ଆଜି ଅପରାହ୍ନରେ ଏକ ଯାତ୍ରୀବାହୀ ମିନିବସ ସହ ବୋଲେରୋର ମୁହାଁମୁହିଁ ଧକ୍କା ହେବାରୁ ବସ୍‌ ଚାଳକ ଆଦିକନ୍ଦ ପଣ୍ଡାଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୧୩ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ରହିଛି ।

ସୂଚନାନୁସାରେ ଆଜି ଅପରାହ୍‌ଣରେ ଫୁଲବାଣୀ ଅଭିମୁଖେ ସିଲକ ସଫାରି ନାମକ ଏକ ଘରୋଇ ଯାତ୍ରୀବାହୀ ମିନିବସ୍‌ (ଓଆର ୦୨ ଏଏକ୍ସ ୯୨୭୪) ଯାଉଥିଲା। ଯାତ୍ରା ଆରମ୍ଭ କରିବାର ମାତ୍ର ୪କିମି ଦୂରରେ କଳିଙ୍ଗା ଘୁମୁସର ଉଦୟଗିରି ମୁଖ୍ୟ ସଡ଼କ ମାଲାନସୁଗା ଛକ ନିକଟରେ ସମ୍ମୁଖ ପଟରୁ ଆସୁଥିବା ଏକ ଲୁହା ବୋଝେଇ ବୋଲେରୋ ଦ୍ରୁତଗତିରେ ଆସି ବସର ଡାହାଣ ପାର୍ଶ୍ଵକୁ ଧକ୍କା ଦେଇଥିଲା। ଫଳରେ ବସ୍‌ ଚାଳକ ଆଦିକନ୍ଦ ପଣ୍ଡାଙ୍କ ସମେତ ମୋଟ ୧୪ ଜଣ ଆହତ ହୋଇଥିଲେ। ସୂଚନା ପାଇ ଦମକଳ ଏବଂ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଅଞ୍ଚଳର ଯୁବକମାନଙ୍କ ସାହାଯ୍ୟରେ ଆହତମାନଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ଘୁ. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଗୁରୁତର ଆହତ ଥିବା ବସ୍‌ ଚାଳକଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବସ୍‌ରେ ବସିଥିବା ଅନ୍ୟ ୧୩ ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣେ ଗୁରୁତର ଅଛନ୍ତି। ଆହତ ହୋଇ ଚିକିତ୍ସିତ ହେଉଥିବା ଏବଂ ଆଉ କିଛି ଚିକିତ୍ସା ପରେ ଘରକୁ ଯାଇଥିବା ସୂଚନା ମିଳିଛି।

Comments are closed.