ମା’ଙ୍କର ଆଜି ସିଦ୍ଧିଦାତ୍ରୀ ବେଶ, ଶାରଦୀୟ ନବରାତ୍ରୀର ଆଜି ନବମ ଦିନ

ଶାରଦୀୟ ନବରାତ୍ରୀର ଆଜି ନବମ ଦିନ, ସିଦ୍ଧିଦାତ୍ରୀ ରୂପରେ ଆଜି ପୂଜା ପାଉଛନ୍ତି ମା’ ଦୁର୍ଗା। ମା’ଙ୍କ ପୂଜା ବିଧି ବିଧାନ ସହ ସମ୍ପର୍ଣ୍ଣ କରାଯାଉଛି।

ପୁରାଣ ବର୍ଣ୍ଣିନା ଅନୁସାରେ ଭଗବାନ ଶିବ କଠିନ ତପସ୍ୟା କରି ମା’ ସିଦ୍ଧିଦାତ୍ରୀଙ୍କ ଠାରୁ ସିଦ୍ଧି ପ୍ରାପ୍ତ କରିଥିଲେ। ଏହା ସହ ମା’ ସିଦ୍ଧିଦାତ୍ରୀଙ୍କ କୃପାରୁ ମହାଦେବଙ୍କ ଅଧା ଶରୀର ଦେବୀଙ୍କ ସ୍ଵରୂପ ହୋଇଯାଇଥିଲା। ଏହି ମା’ ଙ୍କ କୃପାରୁ ଦେବ ଦେବ ମହାଦେବ ଅର୍ଦ୍ଧନାରୀଶ୍ଵର ରୂପରେ ପୂଜା ପାଇଥିଲେ।

ମା’ ଲକ୍ଷ୍ମୀଙ୍କ ଭଳି ମା’ ସିଦ୍ଧିଦାତ୍ରୀ କମଳ ଉପରେ ବିରାଜମାନ କରନ୍ତି। ମା’ ସିଦ୍ଧିଦାତ୍ରୀଙ୍କ ଚାରି ହସ୍ତ। ମା’ ହସ୍ତରେ ଗଦା, କମଳ, ଶଙ୍ଖ, ଫୁଲ ଧାରଣ କରିଥାନ୍ତି। ସିଦ୍ଧିଦାତ୍ରୀ ଦେବୀ ତପସ୍ଵୀର ସ୍ଵରୂପ।

ନବରାତ୍ର ପୂଜା ଅବସରରେ ମହାମାୟା ଦୁର୍ଗାଙ୍କୁ ପ୍ରଥମ ତିନି ଦିନରେ ମାଙ୍କୁ ଦୁଷ୍ଟ ବିନାଶିନୀ ଦୁର୍ଗା ତଥା କାଳୀ ରୂପରେ ପୂଜା କରାଯାଇଥାଏ । ମଝି ତିନି ଦିନରେ ମାଙ୍କୁ ଧନଧନ୍ୟ ତଥା ସମ୍ପଦର ଦେବୀ ଲକ୍ଷ୍ମୀଙ୍କ ରୂପରେ ପୂଜା କରାଯାଏ । ସେହିପରି ଶେଷ ୩ ଦିନରେ ମା ବିଦ୍ୟାଦାତ୍ରୀ ସରସ୍ୱତୀ ଭାବେ ପୂଜା ପାଇଥାନ୍ତି । ନବରାତ୍ରୀର ଶେଷ ଦିନରେ ବିଜୟା ଦଶମୀ ପାଳିତ।

ନବମୀ ବିହିତ ପୂଜା କାଳରେ ସର୍ବପ୍ରଥମେ, କଳସ ଏବଂ ଏଥିରେ ସ୍ଥାପିତ ସମସ୍ତ ଦେବତାଙ୍କୁ ପୂଜା କରାଯାଇଥାଏ। ଏହାପରେ ଷୋଡ଼ଶ ଉପଚାର ଅର୍ପଣ କରି ଧ୍ୟାନମନ୍ତ୍ର

ସିଦ୍ଧଗନ୍ଧର୍ବୟକ୍ଷାଦ୍ୟୌରସୁରମରୈରପି,
ସେବ୍ୟମାନା ସଦା ଭୁୟାତ୍ ସିଦ୍ଧିତା ସିଦ୍ଧିଦାୟିନୀ |

ପାଠ କରାଯାଏ। ଏହାପରେ ମଧ୍ୟନ୍ହରେ କୁମାରୀ ପୂଜା ଅନୁଷ୍ଠିତ ହୁଏ। ନଅ ବର୍ଷ ଭିତରେ ଥିବା ନଅ ଜଣ ବାଳିକାଙ୍କ ନବଦୁର୍ଗା ଭାବରେ ଚିନ୍ତା କରାଯାଇ ସେମାନଙ୍କ ଚରଣରେ ଶ୍ରଦ୍ଧାର୍ଘ୍ୟ ଅର୍ପଣ କରାଯାଏ। ମା’ଙ୍କୁ ହାଲୁୱା, ପୁରୀ, କ୍ଷିରି, ବୋଟ, ନଡ଼ିଆ ପ୍ରସାଦ ଅର୍ପଣ କରାଯାଏ । ଏହା ପରେ ମାତାଙ୍କର ବୀଜ ମନ୍ତ୍ର ଜପ କରାଯିବା ବିଧାନ ରହିଛି । ରାତ୍ରରେ ହୋମ ଓ ଉତ୍ସର୍ଗ ବଳି ଅର୍ପଣ ପରେ ନବରାତ୍ର ବ୍ରତ ସମାପନ ହୋଇଥାଏ। ନବ ଦୁର୍ଗାଙ୍କ ମଧ୍ୟରେ ସିଦ୍ଧିଦାତ୍ରୀ ଅନ୍ତିମ ଅଟନ୍ତି ଏବଂ ତାଙ୍କୁ ପୂଜା କରିବା ଦ୍ବାରା ଭକ୍ତମାନଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଥାଏ।

ନବରାତ୍ରୀର ନବମ ଦିନରେ ସିଦ୍ଧିଦାତ୍ରୀଙ୍କ ପୂଜା ନବାନ୍ନ ପ୍ରସାଦ, ନବରସ ଯୁକ୍ତ ଭୋଜନ ଏବଂ ନଅ ପ୍ରକାରର ଫଳ ଫୁଲ ଆଦି ଅର୍ପଣ କରି ପୂଜା ସମାପନ କରାଯାଏ। ମା’ଙ୍କର ପୂଜା କଲେ ମନୋସ୍କାମନା ପୂରଣ ହେବା ସହ ଆମ ଭିତରେ ଥିବା ଆସୁରିକ ଭାବର ବିନାଶ ଘଟିଥାଏ।

ଯା ଦେବୀ ସର୍ବଭୂତେଷୁ ମା’ ସିଦ୍ଧିଦାତ୍ରୀ ରୂପେଣ ସଂସ୍ଥିତା। ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ।।

Comments are closed.