ଆଜି କୁମାର ପୂର୍ଣ୍ଣିମା, କୁମାର ପୂର୍ଣ୍ଣିମାର ଚନ୍ଦ୍ରକିରଣ ପ୍ରତ୍ୟେକଙ୍କ ପାଇଁ ଅମୃତ ତୁଲ୍ୟ

ପବିତ୍ର କୁମାର ପୂର୍ଣ୍ଣିମା। ପ୍ରକୃତି ସହିତ ମନୁଷ୍ୟର ଏହା ଏକ ମିଳନ ଦ୍ୟୋତକ। ସହର ଠାରୁ ଗ୍ରାମ ପର୍ଯ୍ୟନ୍ତ ହୋଇ ଉଠିଛି ଉତ୍ସବ ମୁଖର। ଆଜିର ଏହିଦିନ ବିଶେଷ କରି ଚନ୍ଦ୍ର ଉପସନାର ଏକ ପ୍ରକୃଷ୍ଟ ଦିନ। ଆଜି ସନ୍ଧ୍ୟାର ଚନ୍ଦ୍ରକିରଣ ସମସ୍ତଙ୍କ ପାଇଁ ଅମୃତ ତୁଲ୍ୟ। ସେଥିପାଇଁ ଗାଁ ଗହଳିରେ ଆଜିର ତିଥିକୁ ନେଇ ରହିଛି ବିଶେଷ ଚନ୍ଦ୍ର ପୂଜା।

ଓଡ଼ିଆ ଘର ପରମ୍ପରା ଅନୁସାରେ ଆଜି ପ୍ରତ୍ୟେକ କୁମାରୀ ନବଵସ୍ତ୍ର ପରିଧାନ କରି ପ୍ରଭାତରୁ ଏକ କୁଳାରେ ଲିଆଖଇ ଏବଂ ଜହ୍ନିଫୁଲ ଧରି ଚନ୍ଦ୍ରଙ୍କ ଉଦ୍ଧେଶ୍ୟରେ ଆଞ୍ଜୁଳା ଟେକିଥାନ୍ତି। ଏବଂ ସନ୍ଧ୍ୟାରେ ତୁଳଶୀ ଚୌରା ମୂଳରେ ଉଦିତ ଚନ୍ଦ୍ରଙ୍କୁ ସ୍ମରଣ କରି ପୁନର୍ବାର ଆଞ୍ଜୁଳା ଟେକି ନିଜର ଭକ୍ତିପୁଷ୍ପ ଅର୍ପଣ କରି ନିଜର କାମନା ଜଣାଥାନ୍ତି।

ଏହି ଦିନ ମାତା ଲକ୍ଷ୍ମୀଙ୍କୁ ମଧ୍ୟ ପୂଜା କରାଯାଏ ଏବଂ ତାପରେ ଚନ୍ଦ୍ର ଦର୍ଶନ କରାଯାଏ। ଏହା ଏକ ଧାର୍ମିକ ବିଶ୍ୱାସ ଯେ ଏହାଦ୍ୱାରା ଧନଧାନ୍ୟ ପ୍ରାପ୍ତି ହୋଇଥାଏ ଓ ଶରୀର ନିରୋଗୀ ରହେ। ଏହି ପବିତ୍ର ଦିବସ ପାଳନ କରିବାର ଅନେକ ଲାଭ ରହିଛି । ଆଧ୍ୟାତ୍ମିକ ଉନ୍ନତି ସହିତ ଏହିଦିନର ବୈଜ୍ଞାନିକ କାରଣ ଅନେକ ରହିଛି।

ଏହିପୂର୍ଣ୍ଣିମା ଦିନ ଚନ୍ଦ୍ର ଆଲୋକରେ ବସିଲେ ସମସ୍ତ ଶାରୀରିକ ରୋଗରୁ ମୁକ୍ତି ମିଳିବା ସହିତ ଶ୍ୱାସ ସମ୍ବନ୍ଧୀୟ ରୋଗୀଙ୍କ ପାଇଁ ମଧ୍ୟ ଅନେକ ଲାଭଦାୟକ ହୋଇଥାଏ। କାରଣ ଆୟୁର୍ବେଦ ଶାସ୍ତ୍ର ଅନୁସାରେ କୁମାର ପୂର୍ଣ୍ଣିମା ଦିନ ଚନ୍ଦ୍ରମା କିରଣ ଅମୃତ ସହ ସମାନ ହୋଇଥାଏ। କୁମାର ପୂର୍ଣ୍ଣିମା ରାତିରେ ଚନ୍ଦ୍ର ଦର୍ଶନ କରିବା ଦ୍ୱାରା ନେତ୍ର ସମ୍ବନ୍ଧୀ ରୋଗ ମଧ୍ୟ ଦୂର ହୋଇଥାଏ।

କୁମାର ପୂର୍ଣ୍ଣିମା ଦିନ ଭଗବାନ କାର୍ତ୍ତିକେୟଙ୍କୁ ପୂଜା କରାଯାଏ। ଏହି ଦିନ କାର୍ତ୍ତିକେୟଙ୍କୁ ପୂଜା କଲେ କୁମାରୀଙ୍କୁ ମନ ମୁତାବକ ଓ ଯୋଗ୍ୟ ବର ପ୍ରାପ୍ତି ହୋଇଥାଏ।

କୁମାର ପୂର୍ଣ୍ଣିମା ଦିନ ଖିରି ତିଆରି କରି ରାତିରେ ଚନ୍ଦ୍ର ଆଲୋକରେ ରଖନ୍ତୁ। ତା ’ପରଦିନ ଏହାକୁ ସେବନ କରନ୍ତୁ। ବିଶ୍ୱାସ କରାଯାଏ ଯେ ଏହା କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ବିଶେଷ କରି ଏହି ଖିରିକୁ ଶ୍ୱାସରୋଗୀ ପାନ କଲେ ଉକ୍ତ ରୋଗରୁ ଉପଶମ ମିଳିଥାଏ।

କୁହାଯାଏ ଯେ କୁମାର ପୂର୍ଣ୍ଣିମା ଦିନ ମାତା ଲକ୍ଷ୍ମୀଙ୍କ ଆବିର୍ଭାବ ହୋଇଥିଲେ। ଏହି ଦିନ ରାତିରେ ଜାଗରଣ କରନ୍ତୁ ଓ ମାତା ଲକ୍ଷ୍ମୀଙ୍କ ମନ୍ତ୍ର ଜପ କଲେ ଧନଧାନ୍ୟ ପ୍ରାପ୍ତ ହୁଏ।

କୁମାର ପୂର୍ଣ୍ଣିମା ଦିନ ମାତା ଲକ୍ଷ୍ମୀଙ୍କୁ ପୂଜା କଲାବେଳେ ଗୋଲାପୀ ରଙ୍ଗର ଫୁଲ, ଅତର, ସୁଗନ୍ଧ ନିଶ୍ଚୟ ଅର୍ପଣ କରିବା ଉଚିତ। ଏହାଦ୍ୱାରା ମା’ ପ୍ରସନ୍ନ ହୋଇଥାନ୍ତି ଓ ଆରାଧନା କର୍ତ୍ତାଙ୍କୁ ଧନଧାନ୍ୟ ମଧ୍ୟ ପ୍ରାପ୍ତ ହୋଇଥାଏ। ବାସ୍ତବରେ ଭଗବାନଙ୍କ ବଡ଼ ଅବଦାନ ପ୍ରକୃତି ସହିତ ଜଡିତ ହେବାର ଏହାଏକ ମହାର୍ଘ୍ୟ ଚେତନାର ସୁଦିବସ।

Comments are closed.