ଟି-୨୦ ବିଶ୍ୱକପ: ଷ୍ଟୋଇନିସଙ୍କ ଅଲରାଉଣ୍ଡ ପ୍ରଦର୍ଶନ, ଓମାନକୁ ୩୯ ରନରେ ହରାଇଲା ଅଷ୍ଟ୍ରେଲିଆ

ବାରବାଡୋସ: ଟି-୨୦ ବିଶ୍ୱକପରେ ଗୁରୁବାର ଅନୁଷ୍ଠିତ ଏକ ମ୍ୟାଚରେ ଅଷ୍ଟ୍ରେଲିଆ ୩୯ ରନରେ ଓମାନକୁ ହରାଇ ଅଭିଯାନ ଆରମ୍ଭ କରିଛି । ବାରବାଡୋସର କେନ୍ସିଙ୍ଗଟନ୍ ଓଭାଲରେ ଖେଳାଯାଇଥିବା ଏହି ମ୍ୟାଚରେ ଓମାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୫ ୱିକେଟ୍ ହରାଇ ୧୬୪ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଓମାନ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୨୫ ରନ୍ କରିବାକୁ ସମର୍ଥ ହୋଇଥିଲା।

ମାର୍କସ୍ ଷ୍ଟୋଇନିସ୍ ଅଷ୍ଟ୍ରେଲିଆ ବିଜୟର ନାୟକ ସାଜିଥିଲେ। ଷ୍ଟୋଇନିସ୍ ପ୍ରଥମେ ବ୍ୟାଟ୍‌ ସହ ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ନିଜ ଦଳକୁ ପ୍ରାରମ୍ଭିକ ବିପର୍ଯ୍ୟୟରୁ ଉଦ୍ଧାର କରି ଅପରାଜିତ ୬୭ ରନର ଇନିଂସ୍ ଖେଳିଥିଲେ। ଏବଂ ପରେ ବୋଲିଂରେ ମଧ୍ୟ ଯାଦୁକରୀ ପ୍ରଦର୍ଶନ ସହ ୩ଟି ୱିକେଟ୍ ନେଇଥିଲେ।

୧୯ ରନ୍ ସ୍କୋରରେ ଅଷ୍ଟ୍ରେଲିଆକୁ ପ୍ରଥମ ଝଟକା ଲାଗିଥିଲା। ଟ୍ରାଭିସ୍ ହେଡଙ୍କୁ ବିଲାଲ ଖାନ ଆଉଟ୍ କରିଥିଲେ। ସେ ମାତ୍ର ୧୨ ରନ୍ ସ୍କୋର କରି ପ୍ୟାଭିଲିୟନ ଫେରିଯାଇଥିଲେ। ତେବେ ମାର୍କସ୍ ଷ୍ଟୋଇନିସ୍ ଓ ଡେଭିଡ୍ ୱାର୍ଣ୍ଣର ଅର୍ଦ୍ଧଶତକୀୟ ପାଳି ସହ ଅଷ୍ଟ୍ରେଲିଆକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇ ଥିଲେ । ୱାର୍ଣ୍ଣର ୬ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୫୧ ବଲରେ ୫୬ ରନର ଇନିଂସ ଖେଳିଥିଲେ | ଷ୍ଟୋଇନିସ୍ ଏବଂ ୱାର୍ଣ୍ଣରଙ୍କ ମଧ୍ୟରେ ଚତୁର୍ଥ ୱିକେଟ୍ ପାଇଁ ୧୦୨ (୬୪ ବଲ୍)ର ଭାଗିଦାରୀ ହୋଇଥିଲା |

Comments are closed.