ରୋହିତ ନୂଆ ଟି୨୦ ଅଧିନାୟକ, ନ୍ୟୁଜିଲାଣ୍ଡ ସିରିଜରୁ କୋହଲିଙ୍କୁ ବିଶ୍ରାମ, ପାଣ୍ଡ୍ୟା ବାଦ୍‌

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ୍ ପାଇଁ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରାଯାଇଛି । ରୋହିତ ଶର୍ମା ଟିମ୍ ଇଣ୍ଡିଆର ନୂଆ ଟି୨୦ ଅଧିନାୟକ ଭାବେ ନିଯୁକ୍ତ ହୋଇଛନ୍ତି । ନଭେମ୍ବର ୧୭ରୁ ଆରମ୍ଭ ହେଉଥିବା ଏହି ତିନି ମ୍ୟାଚ୍ ଟି୨୦ ସିରିଜରୁ ବିରାଟ କୋହଲି ଓ ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇଛି ।

ଘୋଷିତ ୧୬ ଜଣିଆ ଭାରତୀୟ ଦଳରେ ଦୁଇ ନୂଆ ମୁହଁଙ୍କୁ ସାମିଲ କରାଯାଇଛି । ଆଇପିଏଲ-୨୦୨୧ର ସର୍ବାଧିକ ୱିକେଟ୍ ହାସଲକାରୀ ହର୍ଷଲ ପଟେଲ୍ ଓ ଉଦୀୟମାନ ଅଲରାଉଣ୍ଡର ଭେଙ୍କଟେଶ ଆୟର ଭାରତୀୟ ଦଳରେ ପ୍ରଥମଥର ସ୍ଥାନ ପାଇଛନ୍ତି । ଆଇପିଏଲ୍‌-୨୦୨୧ର ସର୍ବାଧିକ ରନ୍ ସ୍କୋରର ଋତୁରାଜ ଗାଏକ୍ୱାଡଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି । ଏହାପୂର୍ବରୁ ଋତୁରାଜ ଜୁଲାଇରେ ଶ୍ରୀଲଙ୍କା ବିପକ୍ଷ ସିରିଜରେ ଖେଳିଥିଲେ । ତେବେ ଟି୨୦ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରୁ ବାଦ୍ ଦିଆଯାଇଛି ।
ଟି୨୦ ବିଶ୍ୱକପରୁ ବଞ୍ଚିତ ହେବା ପରେ ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲ ଦଳକୁ ଫେରିଛନ୍ତି । ପେସ୍ ବୋଲର ମହମ୍ମଦ ସିରାଜଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି । ଟି୨୦ ବିଶ୍ୱକପ୍ ପାଇଁ ରିଜର୍ଭ ଖେଳାଳି ତାଲିକାରେ ଥିବା ଶ୍ରେୟାସ ଆୟର, ଅକ୍ଷର ପଟେଲ ଓ ଦୀପକ ଚହରଙ୍କୁ ନ୍ୟୁଜିଲାଣ୍ଡ ସିରିଜ ପାଇଁ ସୁଯୋଗ ମିଳିଛି ।

ଟି୨୦ ଅଧିନାୟକ ଭାବେ ରୋହିତଙ୍କ ନିଯୁକ୍ତି କେବଳ ଔପଚାରିକତା ଥିଲା । ଟି୨୦ ବିଶ୍ୱକପ ପରେ କୋହଲି ଏହି ଫର୍ମାଟରୁ ନେତୃତ୍ୱ ଛାଡ଼ିବା ନେଇ ଘୋଷଣା କରିବା ପରେ ତାଙ୍କ ସ୍ଥାନ ରୋହିତ ନେବେ ବୋଲି ନିଶ୍ଚିତ ହୋଇଯାଇଥିଲା । ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ କେଏଲ ରାହୁଲଙ୍କୁ ଉପଅଧିନାୟକ କରାଯାଇଛି ।

କୋହଲି, ବୁମରାଙ୍କ ବ୍ୟତୀତ ଏହି ସିରିଜରୁ ସିନିୟର ପେସର ମହମ୍ମଦ ସାମି, ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି । ତେବେ ଫିଟନେସ୍ ସମସ୍ୟା ଓ ଫର୍ମ ପାଇଁ ସଂଘର୍ଷ କରୁଥିବା ହାଦ୍ଦିକ ପାଣ୍ଡ୍ୟାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଶେଷ ହୋଇଥିବା ସଙ୍କେତ ମିଳିଛି । ତାଙ୍କୁ ନ୍ୟୁଜିଲାଣ୍ଡ ସିରିଜରୁ ବାଦ୍ ଦିଆଯାଇଛି । ଭେଙ୍କଟେଶ ଆୟରଙ୍କ ଭଳି ଯୁବ ଅଲରାଉଣ୍ଡରଙ୍କ ଆବିର୍ଭାବ ପରେ ପାଣ୍ଡ୍ୟାଙ୍କ ପକ୍ଷେ ଜାତୀୟ ଦଳକୁ ଫେରିବା ବେଶ୍ କଷ୍ଟକର ହେବ ।

ଭାରତ-ନ୍ୟୁଜିଲାଣ୍ଡ ତିନି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ ନଭେମ୍ବର ୧୭ରୁ ଆରମ୍ଭ ହେବ । ସିରିଜର ପ୍ରଥମ ମ୍ୟାଚ୍ ଜୟପୁରରେ ଖେଳାଯିବ । ଦ୍ୱିତୀୟ ଟି୨୦ ନଭେମ୍ବର ୧୯(ରାଞ୍ଚି) ଓ ତୃତୀୟ ଟି୨୦ ନଭେମ୍ବର ୨୧ (କୋଲକାତା)ରେ ଅନୁଷ୍ଠିତ ହେବ । ଏହାପରେ ଦୁଇ ଦଳ ମଧ୍ୟରେ ଏକ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ । ଟେଷ୍ଟ ସିରିଜ ପାଇଁ ଦଳ ଘୋଷଣା କରାଯାଇ ନାହିଁ ।

ଭାରତୀୟ ଟି୨୦ ଦଳ: ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ (ଉପଅଧିନାୟକ), ଋତୁରାଜ ଗାଏକ୍ୱାଡ, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ଇଶାନ କିଶାନ, ଭେଙ୍କଟେଶ ଆୟର, ୟୁଜବେନ୍ଦ୍ର ଚହଲ, ଆର.ଅଶ୍ୱିନ୍‌, ଅକ୍ଷର ପଟେଲ, ଅବେଶ ଖାନ, ଭୁବନେଶ୍ୱର କୁମାର, ଦୀପକ ଚହର, ହର୍ଷଲ ପଟେଲ, ମହମ୍ମଦ ସିରାଜ ।

Comments are closed.