ଭାରତରେ ତୃତୀୟ ଲହର ଆଣିପାରେ ଓମିକ୍ରନ୍, ଫେବୃଆରୀ ସୁଦ୍ଧା ସଂକ୍ରମଣ ଶୀର୍ଷରେ ପହଞ୍ଚିବା ନେଇ ଆକଳନ

ନୂଆଦିଲ୍ଲୀ: କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ୍ ଭାରତରେ ତୃତୀୟ ଲହର ଆଣିବ । ଫେବୃଆରୀରେ ଓମିକ୍ରନ୍‌ ମାମଲା ଶୀର୍ଷରେ ପହଞ୍ଚିପାରେ ଏବଂ ଦେଶରେ ଦୈନିକ ଏକ ଲକ୍ଷରୁ ଦେଢଲକ୍ଷ ମାମଲା ଆସିପାରେ | କୋଭିଡ-୧୯ ର ଗାଣିତିକ ଆକଳନ ସହ ଜଡିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ବୈଜ୍ଞାନିକ ମଣିନ୍ଦ୍ର ଅଗ୍ରୱାଲ ଏଭଳି ପୂର୍ବାନୁମାନ କରିଛନ୍ତି। ସେ କହିଛନ୍ତି ଯେ ନୂଆ ଆକଳନରେ ଏକ କାରକ ଭାବରେ ଓମିକ୍ରନ୍ ଭାରିଆଣ୍ଟକୁ ସାମିଲ କରାଯାଇଛି |

ଅଗ୍ରୱାଲ କହିଛନ୍ତି, “ନୂଆ ଭାରିଆଣ୍ଟ ସହିତ ଆମର ବର୍ତ୍ତମାନର ଆକଳନ ହେଉଛି ଯେ ଦେଶରେ ଫେବୃଆରୀ ସୁଦ୍ଧା ତୃତୀୟ ଲହର ଆସିପାରେ । କିନ୍ତୁ ଦ୍ୱିତୀୟ ଲହର ଅପେକ୍ଷା ଏହାର ତୀବ୍ରତା କମ୍ ରହିବ। ଏପର୍ଯ୍ୟନ୍ତ ଆମେ ଦେଖିଛୁ ଯେ ଓମିକ୍ରନ୍‌ରୁ ସଂକ୍ରମଣର ଗମ୍ଭୀରତା ଡେଲ୍ଟା ପରି ଅଧିକ ନୁହେଁ। ତଥାପି ଦକ୍ଷିଣ ଆଫ୍ରିକାରେ ରିପୋର୍ଟ ହୋଇଥିବା ମାମଲାଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯାଉଛି ବୋଲି ସେ କହିଛନ୍ତି । ଅଗ୍ରୱାଲ କହିଛନ୍ତି ଯେ ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରେ ସଂକ୍ରମଣ ବଢୁଥିଲେ ମଧ୍ୟ
ହସ୍ପିଟାଲରେ ଭର୍ତ୍ତି ହେବା ମାମଲାରେ କୌଣସି ବୃଦ୍ଧି ଘଟିନାହିଁ।

ଭାରତରେ ଏପର୍ଯ୍ୟନ୍ତ ଓମିକ୍ରନର ୨୩ଟି ମାମଲା ରିପୋର୍ଟ ହୋଇଛି। ଓମିକ୍ରନ୍‌ ଭୟ ମଧ୍ୟରେ ମୁମ୍ବାଇ ନିକଟରେ ୧୦୦ ରୁ ଅଧିକ ବିଦେଶୀ ଫେରନ୍ତା ଙ୍କ ପତ୍ତା ମିଳୁନାହିଁ ।

Comments are closed.