ଓଳାଶୁଣୀ ଗୁମ୍ଫାରେ ପ୍ରତିବର୍ଷ ମାଘ କୃଷ୍ଣପକ୍ଷ ଏକାଦଶୀରେ ଏକ ବିରାଟ ମେଳାର ଆୟୋଜନ ହୋଇଥାଏ । ଓଡ଼ିଶାର ଯେତେଗୁଡ଼ିଏ ଗୁମ୍ଫାକ୍ଷେତ୍ର ରହିଛି ସେଥିମଧ୍ୟରୁ ଓଳାଶୁଣି ଗୁମ୍ଫାକ୍ଷେତ୍ର ଅନ୍ୟତମ । ଏହାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମାଆ ଓଳାଶୁଣି । ଏହି ମେଳାରେ ଓଡ଼ିଶା ସମେତ ଅନେକ ବାହାର ରାଜ୍ୟରୁ ମଧ୍ୟ ଲୋକଙ୍କର ସମାବେଶ ଦେଖିବାକୁ ମିଳେ ।
କିମ୍ବଦନ୍ତୀ ଅନୁସାରେ ଏହାର ପ୍ରାଣ ପ୍ରତିଷ୍ଠାତା ହେଉଛନ୍ତି ଅରକ୍ଷିତ ଦାସ। ଯାହାଙ୍କର ପୂର୍ବନାମ ଥିଲା ବଳଭଦ୍ରଦେବ । ଅରକ୍ଷିତ ଦାସ ଓଡ଼ିଶା ଅନ୍ତର୍ଗତ ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ବଡ଼ଖେମଣ୍ଡିର ବିଜୟନଗର ଠାରେ ଆନୁମାନିକ ୧୭୮୦ ଠାରୁ ୧୭୮୮ ମଧ୍ୟରେ ଜନ୍ମଗ୍ରହଣକରିଥିଲେ। ତାଙ୍କର ପିତା ଥିଲେ ବଡ଼ଖେମଣ୍ଡି ରାଜ୍ୟର ପ୍ରଜାବତ୍ସଳ ରାଜା ପଦ୍ମନାଭ ଦେବ । ପିତାଙ୍କ ଅନ୍ତେ ରାଜସିଂହାସନ ର ଦାବିଦାର ହୋଇଥିଲେ ମଧ୍ୟ ୧୮ବର୍ଷ ବୟସରେ ଐଶ୍ୱର୍ଯ୍ୟର ମୋହକୁ ତୁଚ୍ଛ କରି ପରଂବ୍ରହ୍ମଙ୍କ ପରମତତ୍ତ୍ୱ ଅନ୍ୱେଷଣରେ ଗୃହତ୍ୟାଗୀ ହୋଇ ଯୌବନାବସ୍ଥାରେ ସନ୍ନ୍ୟାସ ଧର୍ମ ଗ୍ରହଣ କରିଥିଲେ । କଥିତଅଛି ଯେତେବେଳେ ଅରକ୍ଷିତ ଦାସ ରାଜପ୍ରାସାଦ ତ୍ୟାଗକରି ଏକ ମହାନ ତତ୍ତ୍ୱର ଅନୁସନ୍ଧାନରେ ବାହାରିଥିଲେ, ରାସ୍ତା ମଧ୍ୟରେ ଏହି ଓଳାଶୁଣୀ ପାହାଡ଼ ଦୃଷ୍ଟିଗୋଚର ହୋଇଥିଲା । ସେ ସମଗ୍ର ଜୀବନକୁ ଅରକ୍ଷିତ ଭାବେ ବିତାଇବା ପରେ ଶେଷ ଜୀବନ ଓଳାଶୁଣୀ ପାହାଡ଼ ଉପରେ କଟିଥିଲା। ୧୮୩୭ ମସିହା ମାଘ କୃଷ୍ଣ ଏକାଦଶୀ ତିଥିରେ ସିଏ ମହାସମାଧି ଲାଭ କରିଥିଲେ । ତାଙ୍କର ଶ୍ରାଦ୍ଧ ଦିବସକୁ ଏହି ଓଳାଶୁଣୀ ଗୁମ୍ଫାରେ ମେଳା ଉତ୍ସବ ରୂପେ ପାଳନ କରାଯାଏ ।
କେଶ ଯାତ୍ରା, ଅରକ୍ଷିତ ଦାସ ଲଳିତଗିରିର କଳ୍ପତରୁ ମହାରଣାଙ୍କ ପୂର୍ବପୁରୁଷଙ୍କ ଘରକୁ ଯାଉଥିଲେ । ଦିନେ ଅମ୍ବି ମହାରଣା ନାମ୍ନି ଜଣେ ବୃଦ୍ଧା ତାଙ୍କ କେଶ ପ୍ରସାଧନ କଲାବେଳେ ଗୋଟିଏ ଛିଡି ତଳେ ପଡ଼ିଗଲା । ବହୁପୂର୍ବରୁ ଅମ୍ବିଙ୍କ ମନସ୍କାମନା ଜାଣି ପାରିଥିବା ଅରକ୍ଷିତ ତାଙ୍କୁ ସେହି କେଶଟିକୁ ନେଇ ସୁରକ୍ଷିତକରି ରଖିବାପାଇଁ ପରାମର୍ଶ ଦେଇଥିଲେ।ଏବେ ସେହି କେଶଟି ବଢ଼ିବଢ଼ି ଗୁଚ୍ଛରେ ପରିଣତ ହୋଇଗଲାଣି। ମହାପୁରୁଷଙ୍କ ଶ୍ରାଦ୍ଧୋତ୍ସବ ବା ସମାଧି ପୂର୍ବଦିନ ସେହି କେଶଗୁଚ୍ଛକୁ ଏକ ଶୋଭାଯାତ୍ରା ରେ ସମାଧିପୀଠ ଓଳାଶୁଣୀକୁ ଅଣାଯାଇଥାଏ । ଏହାକୁ କେଶଯାତ୍ରା ନାମରେ ନାମିତ କରାଯାଇଛି ।
ମହାପୁରୁଷଙ୍କର ତିରୋଧାନ ପରେ ଏହି ସ୍ଥାନର ସର୍ବୋଚ୍ଚ ମୁଖ୍ୟ ମନ୍ଦିରଟି ହେଉଛି ମହାପୁରୁଷଙ୍କର ସମାଧି ମନ୍ଦିର । ଏହିଠାରେ ଶ୍ରୀଶ୍ରୀ ଅରକ୍ଷିତ ଦାସ ସମାଧି ପ୍ରତିଷ୍ଠିତ ଓ ଆରାଧିତ । ଏହି ଓଳାଶୁଣି ପାହାଡ଼ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୌଦ୍ଧପୀଠ ଲଳିତଗିରିର ଅନତି ଦୂରରେ ପଲେଇ ମୌଜାସ୍ଥ ଶୁଖୁଆପଡ଼ା ଗ୍ରାମ ନିକଟରେ ଅବସ୍ଥିତ । ଏହାର ପୂର୍ବ ଦିଗରେ ଗାଙ୍ଗୀ ପାହାଡ଼,ଯହିଁରେ ପୁରାଣପ୍ରସିଦ୍ଧ ଗୋକର୍ଣ୍ଣ ବଟ । ଯେଉଁ ବୃକ୍ଷର ପତ୍ରଗୁଡିକର ଏକ ପାର୍ଶ୍ୱ ଅଶ୍ୱତ୍ଥ ଓ ଅନ୍ୟ ପାର୍ଶ୍ୱଟି ବରପତ୍ର । ଦକ୍ଷିଣ ଦିଗରେ ଠିକ୍ ଏହାର ତଳଦେଶରେ କଳନିନାଦିନୀ ଗୋବରୀ ନଦୀ ପଦଧୌତ କରିଚାଲିଛି । ପଶ୍ଚିମ ପାର୍ଶ୍ୱରେ ଶୁଖୁଆ ପୋଡ଼ା-ଗ୍ରାମ। ଉତ୍ତର ଦିଗରେ ଲଳିତଗିରି ପାହାଡ଼ । ପୂର୍ବଦିଗରେ ଅବସ୍ଥିତ ଗାଙ୍ଗୀ ପାହାଡ଼ରୁ ଓଳାଶୁଣିର ଯୋଗାଯୋଗକୁ ବିଚ୍ଛିନ୍ନ କରୁଛି ରାଜପଥ । ଏହାର ପୂର୍ବ – ଦକ୍ଷିଣ କୋଣର ଅନତି ଦୂରରେ ଅବସ୍ଥିତ ପୁରାଣପ୍ରସିଦ୍ଧ ପଞ୍ଚୁପାଣ୍ଡବଙ୍କର ମନ୍ଦିର । ଏହି ଓଳାଶୁଣୀର ଆଖପାଖରେ ରତ୍ନଗିରି, କୋଲଣଗିରି, ବ୍ରଜଗିରି ଇତ୍ୟାଦି ବୌଦ୍ଧପୀଠ ଅବସ୍ଥିତ ।
ଏହି ପୀଠରେ ଜଗନ୍ନାଥଙ୍କ ମୂର୍ତ୍ତିର ପୂଜାରାଧନା ହୁଏ । ରାଧାକୃଷ୍ଣଙ୍କର ବିଗ୍ରହ ତଥା ସାଧନାସିଦ୍ଧ ସାତଟି ମହାପୁରୁଷଙ୍କର ସମାଧି ମନ୍ଦିର ଏବେବି ପୂଜାପାଇ ଆସୁଛି । ଆହୁରି ମଧ୍ୟ ମହାବୀର, ଗଣେଶ ଓ କେତୋଟି ଶାଳଗ୍ରାମ ବିଗ୍ରହ ଯଥାବିଧି ପୂଜିତ ହେଉଛନ୍ତି । ଏହି ପାହାଡ଼ର ପ୍ରାଚୀନ ବଡ଼ ଗୁମ୍ଫାଟି କେବେ କାହାଦ୍ୱାରା ନିର୍ମାଣ କରାଯାଇ ଥିଲା ତାହାର କୌଣସି କିମ୍ବଦନ୍ତୀ କିମ୍ବା ଇତିହାସ ଏ ପର୍ଯ୍ୟନ୍ତ ମିଳିନାହିଁ । ତେବେ ଏଥିରେ କୌଣସି ବୌଦ୍ଧଶ୍ରମଣ ନିତେଇ ଧୋବଣୀ କିମ୍ବା ପତ୍ର ସଉରୁଣୀ ଆଦି ତନ୍ତ୍ରାଚାରୀଙ୍କର ସଙ୍କେତ ପରିଦୃଷ୍ଟ ହୁଏ । ଏଠାରେ ଶ୍ରଦ୍ଧାଳୁମାନେ ପୋଡ଼ ପିଠା ସହ ମଦ, ମାଛ ଓ ଶୁଖୁଆ ମହାପୁରୁଷଙ୍କ ଭୋଗ ଭାବେ ଅର୍ପଣ କରିଥାନ୍ତି । ଏଠାରେ ମହାପୁରୁଷଙ୍କ ସମୟରୁ କୃପାମହୌଷଧି ସ୍ୱରୂପ କାଞ୍ଜିପାଣି ଏପର୍ଯ୍ୟନ୍ତ ରହି ଆସିଅଛି । ପେଟ ଓ ଅନ୍ୟାନ୍ୟ ରୋଗ ପାଇଁ ଲୋକମାନେ ଏହାକୁ ବ୍ୟବହାରକରି ରୋଗମୁକ୍ତ ହେଉଛନ୍ତି। ଏହା ମଧ୍ୟ ଗୋମହିଷାଦିଙ୍କୁ ଆରୋଗ୍ୟ କରିବାରେ ସୁଖ୍ୟାତି ଅର୍ଜନ କରିଛି ।
Comments are closed.