ଗ୍ରୀଷ୍ମପ୍ରବାହ : ଦିନ ୧୧ରୁ ୩ଟା ଯାଏ ଯାତ୍ରୀବାହୀ ବସ ଚଳାଚଳ ଉପରେ ‌କଟକଣା

ଭୁବନେଶ୍ୱର- ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ସାର୍ବଜନୀନ ପରିବହନ ଉପରେ କଟକଣା ଜାରି କରିଛନ୍ତି । ଆଜି ରାଜ୍ୟର ୨୧ଟି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ଉପରେ ରହିଛି । ଆସନ୍ତା ୨ଦିନ ମଧ୍ୟରେ ଏହା ଅଧିକ ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଯାତ୍ରୀ ପରିବହନ ଉପରେ କଟକଣା ଜାରି କରାଯାଇଛି ।

ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ଯୁଗ୍ମ ସଚିବ କିଶୋର ଦାସ ରାଜ୍ୟରେ ବଢ଼ୁଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସାର୍ବଜନୀନ ପରିବହନ ସେବା ଯୋଗାଉଥିବା ବସ୍‌ଗୁଡ଼ିକର ଚଳପ୍ରଚଳ ଉପରେ ନିୟନ୍ତ୍ରଣ ଲଗାଇଛନ୍ତି । ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ତାତି ଅଧିକ ରହୁଥିବାରୁ ଏହି ସମୟରେ କୌଣସି ଯାତ୍ରୀବାହୀ ବସ୍ ଚଳାଚଳ କରିପାରିବ ନାହିଁ । ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ପରିବହନ ବିଭାଗ ପକ୍ଷରୁ ଏକ ଗାଇଡଲାଇନ୍ ମଧ୍ୟ ଜାରି ହୋଇଛି । ବସଷ୍ଟାଣ୍ଡ ଓ ବସ୍ ରହଣୀ କରୁଥିବା ସ୍ଥାନଗୁଡ଼ିକରେ ଆବଶ୍ୟକ ପରିମାଣ ଜଳଛତ୍ର ଖୋଲିବା ସହ ଆଇସ୍ ପ୍ୟାକ ଓ ଓଆରଏସ୍ ରଖିବାକୁ କୁହାଯାଇଛି । ବସଗୁଡ଼ିକରେ ଯେଭଳି ଅଧିକ ସଂଖ୍ୟକ ଯାତ୍ରୀ ନଯିବେ ସେଥିପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.