କାଲିଠାରୁ ଆଇପିଏଲ ସିଜନ ୧୩, ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ –ଚେନ୍ନାଇ ସୁପରକିଙ୍ଗସ୍ ମୁକାବିଲା

ଆବୁଧାବି – ଆଉ ମାତ୍ର କିଛି ଘଂଟାର ଅପେକ୍ଷା । ୟୁଏଇରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱର ସବୁଠାରୁ ଗ୍ଲାମରସ୍ ଓ ଲୋକପ୍ରିୟ ଫଟାଫଟ୍ ଟୁଣ୍ଣାମେଂଟ୍ –ଇଣ୍ଡିଆନ ପ୍ରିମିଅର ଲିଗ୍ ବା ଆଇପିଏଲ । ଭାରତରେ କୋରୋନା ମହାମାରୀ ଯୋଗୁଁ ଆଇପିଏଲ ସିଜନ ୧୩ ସଂସ୍କରଣ ଏଥର ୟୁଏଇରେ ଖେଳାଯାଉଛି ।

ଆବୁଧାବିରେ ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଆଇପିଏଲର ଇତିହାସର ସବୁଠୁ ସଫଳ ଟିମ୍ ତଥା ଗତଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଓ ତିନି ଥରର ଚାମ୍ପିଅନ ତଥା ଗତଥରର ରନର୍ସଅପ୍ ଚେନ୍ନାଇ ସୁପରକିଙ୍ଗସ୍ । ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନସର ନେତୃତ୍ୱ ନେଉଥିବା ବେଳେ ନିକଟରେ ଆନ୍ତର୍ଜାତିକ କ୍ରିକେଟରୁ ଅବସର ନେଇଥିବା ମହେନ୍ଦ୍ର ସିଂହ ଧୋନି ଚେନ୍ନାଇ ଟିମ୍‌ର ଅଧିନାୟକ ଅଛନ୍ତି ।

୮ଟି ଫ୍ରାଂଚାଇଜ୍ ଟିମ୍ ଏଥରର ସଂସ୍କରଣରେ ଭାଗ ନେଉଛନ୍ତି । ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ଆଇପିଏଲ ସିଜନ ୧୩ । ଆବୁଧାବି, ଦୁବାଇ ଓ ଶାରଜାରେ ଖେଳାଯିବ ମ୍ୟାଚ୍ । ତୃତୀୟ ଥର ପାଇଁ ଆଇପିଏଲ ଦେଶ ବାହାରେ ଖେଳାଯାଉଛି । ୨୦୦୯ରେ ଏହା ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିଲା ବେଳେ ୨୦୧୪ରେ ୟୁଏଇରେ ଆୟୋଜିତ ହୋଇଥିଲା ଟୁର୍ଣ୍ଣାମେଂଟ୍ ।

Comments are closed.