ସ୍କୁଲ ଆସୁନଥିବା ପିଲାଙ୍କୁ ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କ ୫ ସୂତ୍ରୀ ଅଭିଯାନ

ଭୁବନେଶ୍ୱର – ପାଠପଢ଼ା ଛାଡ଼ି ଥିବା ପିଲାଙ୍କୁ ସ୍କୁଲ ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କ ଅଭିଯାନ । କରୋନା ମହାମାରୀ ଯୋଗୁ ବନ୍ଦ ଥିବା ସ୍କୁଲ ଖୋଲିବା ପରେ ପ୍ରାୟ ୩୦ ପ୍ରତିଶତ ପିଲା ସ୍କୁଲ ଆସୁନଥିବାରୁ ସମ୍ପୃକ୍ତ ଅଂଚଳର ଶିକ୍ଷକମାନେ ଘରକୁ ଘର ଯାଇ ସେହି ପିଲାମାନଙ୍କୁ ସ୍କୁଲକୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନେବେ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି । ଦୀର୍ଘ ପ୍ରାୟ ୨ବର୍ଷ ପରେ ସ୍କୁଲ ଖୋଲିଥିଲେ ମଧ୍ୟ ମାତ୍ର ୭୦ ପ୍ରତିଶତ ଛାତ୍ରଛାତ୍ରୀ ସ୍କୁଲ ଆସୁଥିବାରୁ ବାକି ୩୦ ପ୍ରତିଶତ ପିଲାଙ୍କ ଅନୁପସ୍ଥିତିକୁ ନେଇ ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀ ସମସ୍ତ ଜିଲ୍ଲାପାଳ ଓ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ଏହି ପିଲାମାନଙ୍କୁ ସ୍କୁଲକୁ ଫେରାଇ ଆଣିବା ନିମନ୍ତେ ୫ସୂତ୍ରୀ ଫର୍ମୂଲା ଆପଣାଇବାକୁ ପରାମର୍ଶ ଦେଇଥିଲେ । ଶିକ୍ଷକମାନେ ମଧ୍ୟ ପଂଚାୟତସ୍ତରରେ ସ୍କୁଲ ପରିଚାଳନା କମିଟି , ପଂଚାୟତ ଲୋକ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଆଦିର ସହଯୋଗ ନେବାକୁ କୁହାଯାଇଛି । ଆସନ୍ତା ଶିକ୍ଷାବର୍ଷରୁ ଏସବୁ ପିଲାମାନେ ଯେଭଳି ସ୍କୁଲକୁ ପୁଣିଥରେ ଫେରିବେ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ମଧ୍ୟ ସବୁ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ଏନେଇ ୫ ସୂତ୍ରୀ ଫର୍ମୂଲା କାର୍ଯ୍ୟକାରୀ କରିବାକୁ କହିଛନ୍ତି ।

ସୂଚନାଯୋଗ୍ୟ, କରୋନା ମହାମାରୀ ପରେ ସ୍କୁଲ ଖୋଲିଥିବାବେଳେ ପ୍ରଥମରୁ ପଂଚମ ଶ୍ରେଣୀରେ ପଢ଼ୁଥିବା ଅନେକ ପିଲା ସ୍କୁଲକୁ ଫେରିନାହାନ୍ତି । ବିଶେଷକରି ମାଲକାନଗିରି, ବୌଦ୍ଧ, ଗଜପତି, ସମ୍ବଲପୁର ଓ ନୂଆପଡ଼ା ଜିଲ୍ଲାର ଅଧିକାଂଶ ପିଲା ସ୍କୁଲକୁ ଫେରିନଥିବାବେଳେ ୬ଷ୍ଠରୁ ଅଷ୍ଟମ ଶ୍ରେଣୀରେ ମାଲାକାନଗିରି, ବୌଦ୍ଧ, ସମ୍ବଲପୁର ଓ ନୂଆପଡ଼ାରେ ଅଧିକାଂଶ ପିଲା ସ୍କୁଲ ଫେରିନାହାନ୍ତି । ସେହିପରି ମାଧ୍ୟମିକ ଶିକ୍ଷାରେ ଅନୁପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସର୍ବାଧିକ ଗଜପତି, ସୋନପୁର, ବରଗଡ଼, କନ୍ଧମାଳ ଓ ନୂଆପଡ଼ା ଜିଲ୍ଲା ରହିଛି । ଯେଉଁ ଛାତ୍ରଛାତ୍ରୀମାନେ ଅଷ୍ଟମ ଶ୍ରେଣୀ ପାସ୍ କରିଛନ୍ତି ଓ ନବମରେ ନାମ ଲେଖାଇ ନାହାନ୍ତି ସେମାନେ ସମ୍ଭବତଃ ଡ୍ରପଆଉଟ୍ ବୋଲି ସରକାର ବିବେଚନା କରୁଛନ୍ତି । ତେଣୁ ଅନୁପସ୍ଥିତ ଥିବା ୩୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ଦିଗରେ ପଦକ୍ଷେପ ନେବାକୁ ସରକାର ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.