ରାଷ୍ଟ୍ରପତି ନିର୍ବାଚନ: ଆଜି ନାମାଙ୍କନ ଦାଖଲ କରିବେ ବିରୋଧୀ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନା

ନୂଆଦିଲ୍ଲୀ:ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନା ଆଜି ନାମାଙ୍କନପତ୍ର ଦାଖଲ କରିବେ। ଏହି ଅବସରରେ ଏନସିପି ମୁଖ୍ୟ ଶରଦ ପାୱାର, ରାହୁଲ ଗାନ୍ଧୀ, ମମତା ବାନାର୍ଜୀ, ଅଶୋକ ଗେହଲୋଟ, ଅଖିଳେଶ ଯାଦବଙ୍କ ପରି ବିରୋଧୀ ଦଳର ଭେଟେରାନ ନେତାମାନେ ଉପସ୍ଥିତ ରହିବେ।

ଶାସକ ଦଳ ଭଳି ବିରୋଧୀ ମଧ୍ୟ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଉଦ୍ୟମ କରିବ। ଜୁନ୍ ୨୪ରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ସମୟରେ ଶାସକ ଦଳର ବହୁ ଭେଟେରାନ ନେତାଙ୍କ ସମାବେଶ ହୋଇଥିଲା।

ଯଶଓ୍ବନ୍ତ ସିହ୍ନାଙ୍କ ନାମାଙ୍କନ ଦାଖଲ ପୂର୍ବରୁ ବିରୋଧୀ ସଂସଦ ଗୃହ ଆନେକ୍ସରେ ପୂର୍ବାହ୍ନ ୧୧:୩୦ରେ ଏକ ବୈଠକ କରିବେ। ଏହାର ଅଧ ଘଣ୍ଟା ପରେ ବିରୋଧୀ ଦଳର ନେତାମାନେ ରାଜ୍ୟସଭା ସଚିବଙ୍କ କାର୍ଯ୍ୟାଳୟ ବାହାରେ ଏକାଠି ହେବେ। ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନା ପ୍ରାୟ ୧୨:୧୫ରେ ନାମାଙ୍କନପତ୍ର ଦାଖଲ କରିବେ | ନାମାଙ୍କନ ଦାଖଲ ପରେ ଯଶଓ୍ବନ୍ତ ସିହ୍ନା ଏକ ସାମ୍ବାଦିକ ସମ୍ମିଳନୀ କରିବେ |

ଅନ୍ୟପକ୍ଷରେ ୧୭ଟି ବିରୋଧୀ ଦଳ ସହିତ ଯଶୱନ୍ତ ସିହ୍ନାଙ୍କୁ ତେଲେଙ୍ଗାନା ରାଷ୍ଟ୍ରିୟ ସମିତି ମୁଖ୍ୟ କେ.ଚନ୍ଦ୍ରଶେଖର ରାଓ ମଧ୍ୟ ସମର୍ଥନ ଦେବା କଥା କହିଛନ୍ତି।

ରାଷ୍ଟ୍ରପତି ନିର୍ବାଚନରେ ଯଶଓ୍ବନ୍ତ ସିହ୍ନାଙ୍କ ମୁକାବିଲା ଏନଡିଏର ଆଦିବାସୀ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସହ ହେବ। ରାଷ୍ଟ୍ରପତି ନିର୍ବାଚନ ଜୁଲାଇ ୧୮ରେ ଅନୁଷ୍ଠିତ ହେବ ଏବଂ ଜୁଲାଇ ୨୧ରେ ଫଳ ପ୍ରକାଶ ପାଇବ।

Comments are closed.