ଫାଇଜର ପରେ ମଡର୍ଣ୍ଣାର ଦାବି: କରୋନା ଟିକା ୯୪.୫% ଫଳପ୍ରଦ

ୱାଶିଂଟନ୍ – କରୋନା ସଂକ୍ରମଣକୁ ରୋକିବା ଲାଗି ଏବେ ବିଶ୍ୱର ବିଭିନ୍ନ ଔଷଧ କମ୍ପାନୀ ଟିକା ବିକଶିତ କରିବାରେ ବ୍ୟସ୍ତ । ଏହାରି ଭିତରେ ଆଉ ଏକ ଖୁସି ଖବର ଆସିଛି । ଫାଇଜର ପରେ ଏବେ ଆମେରିକାର ଆଉ ଏକ ପ୍ରତିଷ୍ଠିତ ଔଷଧ କମ୍ପାନୀ ମଡର୍ଣ୍ଣା ଏହାର କରୋନା ଟିକା ଫଳପ୍ରଦ ସାବ୍ୟସ୍ତ ହୋଇଥିବା ଦାବି କରିଛି । ପରୀକ୍ଷାରେ ଏହାର ଟିକା କରୋନା ସଂକ୍ରମଣକୁ ରୋକିବାରେ ୯୪.୫ ପ୍ରତିଶତ ଫଳପ୍ରଦ ହୋଇଛି ବୋଲି ମଡର୍ଣ୍ଣା ତରଫରୁ କୁହାଯାଇଛି ।

ମଡର୍ଣ୍ଣାର କୋଭିଡ୍ ଟିକାର ବର୍ତ୍ତମାନ ଶେଷ ପର୍ଯ୍ୟାୟ ପରୀକ୍ଷା ଚାଲିଛି । ପ୍ରାୟ ୩୦,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଠାରେ ଏହାର ପ୍ରୟୋଗ କରାଯାଇଥିଲା । ଏହି ପରୀକ୍ଷାର ପ୍ରାରମ୍ଭିକ ଫଳ ଭିତ୍ତିରେ ମଡର୍ଣ୍ଣା ନିଜ ଟିକାର ସଫଳତା ଉପରେ ସୂଚନା ଦେଇଛି । କିଛିଦିନ ତଳେ ମଡର୍ଣ୍ଣାର ପ୍ରତିଦ୍ୱନ୍ଦ୍ୱୀ ଫାଇଜର ମଧ୍ୟ ନିଜର ଟିକା କୋଭିଡ୍ ସଂକ୍ରମଣକୁ ରୋକିବାରେ ପ୍ରଭାବଶାଳୀ ବୋଲି ଦାବି କରିଥିଲା । ଫାଇଜର ଦାବି କରିଥିଲା ଯେ, ଏହାର ଟିକା ୯୦% ସକାରାତ୍ମକ ଫଳ ଦେଉଛି ।
ମଡର୍ଣ୍ଣାର ଅଧ୍ୟକ୍ଷ ଡକ୍ଟର ଷ୍ଟିଫେନ୍ ହୋଜ୍ କହିଛନ୍ତି ଯେ, ଫାଇଜର ଓ ମଡର୍ଣ୍ଣାର ଟିକା ପରୀକ୍ଷଣ ଫଳ ପ୍ରାୟତଃ ସମାନ ରହିବା ଆଶ୍ୱସ୍ତିକର ବିଷୟ । ଟିକା ଦ୍ୱାର କରୋନା ମହାମାରୀକୁ ରୋକିବା ସମ୍ଭବ ବୋଲି ଏଥିରୁ ପ୍ରମାଣ ମିଳିଛି । କେବଳ ମଡର୍ଣ୍ଣା ନୁହେଁ, ବିଶ୍ୱର ଅନ୍ୟ କମ୍ପାନୀଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ଟିକାକୁ ମଧ୍ୟ ଆମେ ସ୍ୱାଗତ କରିବୁ । ଆମେରିକାର ଖାଦ୍ୟ ଓ ଡ୍ରଗ୍ସ ପ୍ରଶାସନ, ଫାଇଜର କିମ୍ବା ମଡର୍ଣ୍ଣା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଯଦି ଅନୁମତି ଦିଏ, ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଦୁଇ କମ୍ପାନୀର ସୀମିତ ସଂଖ୍ୟକ ଟିକା ଉପଲବ୍ଧ ହୋଇପାରେ ।

Comments are closed.