ଥାନାରେ ଲାଗିବ ଦୁର୍ନୀତିଗ୍ରସ୍ତ ପୋଲିସ କର୍ମଚାରୀଙ୍କ ଫଟୋ

ନୂଆଦିଲ୍ଲୀ – ଏଣିକି ଦୁର୍ନୀତିଗ୍ରସ୍ତ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କ ଫଟୋ ସେମାନଙ୍କ ଅପରାଧ ତଥ୍ୟ ସହିତ ଥାନାର ନୋଟିସ ବୋର୍ଡରେ ପ୍ରଦର୍ଶିତ ହେବ ।

। ଏହା କେବଳ ଥାନାରେ ସୀମିତ ରହିବ ନାହିଁ, ଅଧିକାରୀମାନେ ଏହାକୁ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିବେ। କେନ୍ଦ୍ର ସରକାରଙ୍କ ‘ପୋଲିସ୍ ଛବି ଏବଂ ଜନସମ୍ପର୍କ’ ପଦକ୍ଷେପର ଏକ ଅଂଶ ଭାବେ ଏହି ନିଷ୍ପତ୍ତି ନିଆଯାଇଛି।
କେନ୍ଦ୍ର ଗୃହ ମନ୍ତ୍ରଣାଳୟର  ନିର୍ଦ୍ଦେଶରେ କୁହାଯାଇଛି ଯେ ‘ଦୁର୍ନୀତିଗ୍ରସ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୋସିଆଲ ମିଡିଆରେ ପ୍ରଚାର କରାଯିବ। ଦୁର୍ନୀତିଗ୍ରସ୍ତ ପୋଲିସ କର୍ମଚାରୀଙ୍କ ଫଟୋ ସହିତ ସେମାନଙ୍କ ସମ୍ପୃକ୍ତି ଥିବା ଅପରାଧ ତଥା ଦୁର୍ନୀତି ବିବରଣୀ ପୋଲିସ ଷ୍ଟେସନରେ ଲୋକଙ୍କ ଅବଗତି ନିମନ୍ତେ ଥାନାରେ ପ୍ରଦର୍ଶିତ ହେବ ।

ସରକାରୀ ସୂତ୍ରରୁ ପ୍ରକାଶ ଯେ ଏହି ନିଷ୍ପତ୍ତି କେବଳ ତଳ ସ୍ତରର ପୋଲିସ କର୍ମଚାରୀଙ୍କ ମଧ୍ୟରେ ସୀମିତ ରହିବ ନାହିଁ। ଦୁର୍ନୀତିଗ୍ରସ୍ତ ବରିଷ୍ଠ ଭାରତୀୟ ପୋଲିସ ସେବା (ଆଇପିଏସ୍) ଅଧିକାରୀଙ୍କ ଫଟୋ ଓ ସେମାନଙ୍କ କଳା କାରନାମାର ତଥ୍ୟ ମଧ୍ୟ ଥାନା ନୋଟିସ୍ ବୋର୍ଡରେ ପ୍ରଦର୍ଶିତ ହେବ ।

ଦୁର୍ନୀତିଗ୍ରସ୍ତ ପୋଲିସକୁ ଧରିବା ପାଇଁ ପୋଲିସ ବାହିନୀ ସେମାନଙ୍କ ଆଭ୍ୟନ୍ତରୀଣ ଭିଜିଲାନ୍ସ ୟୁନିଟକୁ ସୁଦୃଢ କରିବାକୁ ପଡିବ ବୋଲି ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ କହିଛନ୍ତି ।

Comments are closed.