ଲ୍ୟାଣ୍ଡଫଲ ପରେ ଦୁର୍ବଳ ହେଉଛି ‘ନିଭାର’

ଚେନ୍ନାଇ – ବଙ୍ଗୋପ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ନିଭାର’ ବୁଧବାର ବିଳମ୍ବିତ ରାତିରେ ପୁଡୁଚେରୀ ପାଖରେ ଲ୍ୟାଣ୍ଡଫଲ କରିଛି । ‘ନିଭାର’ କରେକଇକାଲ ଓ ମାମଲାପୁରମ ମଧ୍ୟରେ ସ୍ଥଳଭାଗ ଛୁଇଁଥିଲା । ଲ୍ୟାଣ୍ଡଫଲ୍ ପରେ ନିଭାର ଦୁର୍ବଳ ହେବାରେ ଲାଗିଛି । ତେବେ ଏହାର ପ୍ରଭାବରେ ତାମିଲନାଡୁରେ ବର୍ଷା ଏବେ ବି ଜାରି ରହିଛି । ବୁଧବାର ରାତି ପ୍ରାୟ ୧୧ଟା ୩୦ ମିନିଟରେ ‘ନିଭାର’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇ ୨ଟା ୩୦ ପର୍ଯ୍ୟନ୍ତ ଚାଲିଥିଲା । ଏହି ସମୟରେ ଘଣ୍ଟା ପ୍ରତି ୧୨୦ରୁ ୧୩୦ କିଲୋମିଟର ପର୍ଯ୍ୟନ୍ତ ପବନ ବହିଥିଲା ।

ପୁଡୁଚେରୀ ନିକଟସ୍ଥ ଉପକୂଳ ଛୁଇଁବା ବେଳେ ‘ନିଭାର’ ସାମାନ୍ୟ ଦୁର୍ବଳ ହୋଇଯାଇଥିଲା । ଫଳରେ ଯେଉଁଭଳି ମାତ୍ରାରେ କ୍ଷୟକ୍ଷତି ଆଶଙ୍କା କରାଯାଉଥିଲା ତାହା ହୋଇନାହିଁ । ତେବେ ଏହାର ପ୍ରଭାବରେ ଚେନ୍ନାଇ ସମେତ ତାମିଲନାଡୁର ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକରେ ପ୍ରବଳ ବର୍ଷା ଜାରି ରହିଛି । ନିଭାର ପ୍ରଭାବରେ କିଛି ସ୍ଥାନରେ ଗଛ, ବିଦ୍ୟୁତଖୁଣ୍ଟି ଉପାଡିବା ଖବର ମିଳିଛି । କିଛି ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ପାଣିପାଗ ବିଭାଗ ସୂଚନା ଅନୁସାରେ କୁଡୁଲୋର ଜିଲ୍ଲାରେ ସବୁଠୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ଏଠାରେ ଗତ ୨୪ ଘଣ୍ଟାରେ ୨୪୪ ମି.ମି ବର୍ଷା ରେକର୍ଡ କରାଯାଇଛି । ଚେନ୍ନାଇରେ ୮୯, କରାଇକେଲରେ ୮୫ ଓ ନାଗାପଟ୍ଟିନମରେ ୬୩ ମିମି ବର୍ଷା ହୋଇଛି । ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ଆଶଙ୍କା ଥିବାରୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ୨୪ ଜିଲ୍ଳା ପାଇଁ ସତର୍କ ସୂଚନା ଜାରି କରିଛି । ଗୁରୁବାର ମଧ୍ୟ ବର୍ଷା ଜାରି ରହିବ ବୋଲି କୁହଯାଇଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ତଳିଆ ଅଞ୍ଚଳ ଗୁଡିକୁ ଏନଡିଆରଏଫ୍ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗର ରିଲିଫ୍ ଓ ଉଦ୍ଧାରକାଳୀ ଦଳକୁ ପଠାଇଯାଇଛି ।

Comments are closed.