ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଘଟଣା ନେଇ ଡିଜିସିଏର କଠୋର ଆଭିମୁଖ୍ୟ, ତ୍ରୁଟି ସୁଧାରିବାକୁ ବିମାନ କମ୍ପାନୀଙ୍କୁ ୧୦ ଦିନ ସମୟ

ନୂଆଦିଲ୍ଲୀ: ଗତ କିଛି ମାସ ମଧ୍ୟରେ ବିମାନ ଉଡ଼ାଣ ସମୟରେ ବୈଷୟିକ ତ୍ରୁଟି ଘଟଣାରେ ହଠାତ୍ ବୃଦ୍ଧି ଘଟିଛି । ଏକ ମାସ ମଧ୍ୟରେ ସ୍ପାଇସଜେଟରେ ଅତି କମରେ ୮ଟି ଏଭଳି ଘଟଣା ସାମ୍ନାକୁ ଆସିଛି | ଏହାକୁ ଦୃଷ୍ଟିରେ ରଖି ଦେଶର ବିମାନ ଚଳାଚଳ ସୁରକ୍ଷା ନିୟାମକ ଡିଜିସିଏ ସ୍ପଟ୍ ଯାଞ୍ଚ୍ କରିଥିଲା ​​। ଏହି ସମୟରେ ଅନେକ ତ୍ରୁଟି ଓ ବିମାନ କମ୍ପାନୀଙ୍କ ପକ୍ଷରୁ ଅବହେଳା ସାମ୍ନାକୁ ଆସିଥିଲା । ସ୍ପଟ୍ ଯାଞ୍ଚ୍ ବେଳେ ଡିଜିସିଏ ଜାଣିବାକୁ ପାଇଛି ଯେ ବିମାନରେ ତ୍ରୁଟି ଚିହ୍ନଟ କରିବାରେ ବିମାନ କମ୍ପାନୀ ଅବହେଳା କରୁଛନ୍ତି । ଏଭଳି ତ୍ରୁଟି ଚିହ୍ନଟ ପାଇଁ ସେମାନେ କ୍ବାଲିଫାଏଡ୍ ଇଞ୍ଜିନିୟର ନିୟୋଜିତ କରୁନାହାଁନ୍ତି । ପ୍ରତ୍ୟେକ ବିମାନ ଉଡ଼ାଣ ପୂର୍ବରୁ ଧାର୍ଯ୍ୟ ନିୟମ ପାଳନ କରିବାକୁ ଏବେ ଡିଜିସିଏ ଏୟାରଲାଇନ୍ସ ଗୁଡିକୁ ନୂଆ ନିର୍ଦ୍ଦେଶ ଜାରି କରିଛି । ଏହି ସମସ୍ୟାର ସମାଧାନ ପାଇଁ ଏୟାରଲାଇନ୍ସକୁ ଜୁଲାଇ ୨୮ ପର୍ଯ୍ୟନ୍ତ ସମୟ ଦିଆଯାଇଛି।

ବିମାନର ସୁରକ୍ଷା ସମ୍ପର୍କରେ ବିମାନ ଚଳାଚଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ବୈଠକ କରିବା ପରେ ସୋମବାର ଏହି ନିର୍ଦ୍ଦେଶ ଦିଆଯାଇଛି। ଏହି ବୈଠକରେ ସିନ୍ଧିଆ ନିର୍ଦ୍ଧାରିତ ସୁରକ୍ଷା ନିୟମକୁ କଡ଼ାକଡ଼ି ପାଳନ କରିବା ସହ ଯାତ୍ରୀଙ୍କ ସୁରକ୍ଷାରେ ଯେଭଳି ଅବହେଳା ନ ହୁଏ ସେ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହା ପରେ ସୋମବାର ଡିଜିସିଏ ଦ୍ଵାରା ଜାରି କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତ ହେବା ପୂର୍ବରୁ ସର୍ବନିମ୍ନ ଯନ୍ତ୍ରପାତି ତାଲିକା (ଏମ୍ଇଏଲ୍) ରିଲିଜ୍ କରିବାର ପ୍ରବୃତ୍ତି ବଢ଼ି ଯାଇଛି। ସାମାନ୍ୟ ତ୍ରୁଟି ବିଚ୍ୟୁତି ଥିଲେ ମଧ୍ୟ ଏମ୍ଇଏଲ୍ ଜରିଆରେ ବିମାନକୁ ନିର୍ଦ୍ଦିଷ୍ଟ ସମୟ ପାଇଁ ଉଡ଼ିବାକୁ ଅନୁମତି ଦିଆଯାଏ । ଉଦାହରଣ ସ୍ୱରୂପ, ବିମାନର ଲ୍ୟାଣ୍ଡିଂ ଲାଇଟ୍ ଭାଙ୍ଗିଗଲେ ମଧ୍ୟ ସମ୍ପୃକ୍ତ ବିମାନକୁ ଉଡ଼ାଣ ପାଇଁ ଏମ୍ଇଏଲ୍ ରୁ ଅନୁମତି ମିଳିଯାଏ |

ଡିଜିସିଏ କହିଛି ଯେ ଏହା ମଧ୍ୟ ଦେଖାଯାଇଛି ଯେ ଟ୍ରାଞ୍ଜିଟ୍ ଏବଂ ଛୋଟ ଷ୍ଟେସନରେ ବିମାନ ସେବା କେବଳ କାଟେଗୋରି ‘ଏ’ ସାର୍ଟିଫିକେଟ୍ ପ୍ରାପ୍ତ କର୍ମଚାରୀଙ୍କ ଦ୍ବାରା ଉଡ଼ାଣ ପାଇଁ ବିମାନକୁ ଫିଟ୍ ଘୋଷିତ କରିଦିଆଯାଉଛି । ଏହା ନିୟମ ବିରୁଦ୍ଧ ଅଟେ। ଏହାକୁ ଦୃଷ୍ଟିରେ ରଖି ଡିଜିସିଏ ନିର୍ଦ୍ଦେଶ ଦେଇଛି ଯେ ବି-୧ / ବି-୨ ଲାଇସେନ୍ସ ପ୍ରାପ୍ତ ବିମାନ ରକ୍ଷଣାବେକ୍ଷଣ ଇଞ୍ଜିନିୟର (ଏଏମ୍ଇ) ଦ୍ବାରା ଯାଞ୍ଚ ପରେ ହିଁ ବିମାନ ଗୁଡ଼ିକୁ ସମସ୍ତ ବେସ୍ ଏବଂ ଟ୍ରାଞ୍ଜିଟ୍ ଷ୍ଟେସନରୁ ରିଲିଜ୍ ପାଇଁ ଅନୁମତି ମିଳିବ ।

Comments are closed.