ନିଟ୍ ପରୀକ୍ଷା ପୂର୍ବରୁ ଛାତ୍ରୀଙ୍କୁ ଅନ୍ତଃବସ୍ତ୍ର କାଢ଼ିବାକୁ ବାଧ୍ୟ କରାଯିବା ନେଇ ବିବାଦ, ଏନଟିଏ ରଖିଲା ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: କେରଳରେ ନିଟ୍ ପରୀକ୍ଷା ଦେବାକୁ ଆସିଥିବା ଛାତ୍ରୀମାନଙ୍କୁ ଅନ୍ତଃବସ୍ତ୍ର କାଢ଼ିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି । ଜଣେ ଛାତ୍ରୀଙ୍କ ବାପା ପୋଲିସରେ ଅଭିଯୋଗ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ପରୀକ୍ଷା ପାଇଁ ହଲରେ ପ୍ରବେଶ କରିବା ପୂର୍ବରୁ ଯାଞ୍ଚ୍ ବେଳେ ଛାତ୍ରୀମାନଙ୍କୁ ନିଜ ଅନ୍ତଃବସ୍ତ୍ର କାଢ଼ିବାକୁ କୁହାଯାଇଥିଲା । ଏହାକୁ ନେଇ ବିବାଦ ପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ସ୍ପଷ୍ଟୀକରଣ ଦେଇଛି । ନିଟ୍ ପରୀକ୍ଷା ପାଇଁ ଏଭଳି କୌଣସି ଡ୍ରେସକୋଡ୍ ଲାଗୁ କରାଯାଇ ନାହିଁ ବୋଲି ଏନଟିଏ କହିଛି ।

କେରଳର କୋଲାମ ଜିଲ୍ଲାର ଏକ ନିଟ୍ ପରୀକ୍ଷା କେନ୍ଦ୍ର ମାର୍ଥୋମା ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫର୍ମେସନ୍ ଟେକ୍ନୋଲୋଜିରେ ଜଣେ ମହିଳା ସୁରକ୍ଷା କର୍ମୀ ଯାଞ୍ଚ୍ ସମୟରେ ଜଣେ ଛାତ୍ରୀଙ୍କୁ ବ୍ରା’ର ହୁକ୍ ଯୋଗୁଁ ମେଟାଲ ଡିଟେକ୍ଟର ବିପ୍ ହେବାରୁ ତାଙ୍କୁ ବ୍ରା କାଢ଼ିବାକୁ କହିଥିଲେ | ଯେତେବେଳେ ଛାତ୍ରୀ ଜଣକ ଏହାକୁ ବିରୋଧ କରିଥିଲେ, ତାଙ୍କୁ କୁହାଯାଇଥିଲା ଯେ ଯଦି ସେ ନିଜ ବ୍ରା ନ କାଢନ୍ତି ତେବେ ତାଙ୍କୁ ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ବସିବାକୁ ଦିଆଯିବ ନାହିଁ। ଆଶ୍ଚର୍ଯ୍ୟଜନକ କଥା ହେଉଛି ଉକ୍ତ ଛାତ୍ରୀଙ୍କୁ ଅତି ରୂକ୍ଷ ବ୍ୟବହାର କରାଯାଇଥିଲା ଏବଂ କୁହାଯାଇଥିଲା ଯେ ”ତମ ପାଇଁ ତମ ଭବିଷ୍ୟତ ବଡ଼ ନା ଅନ୍ତଃବସ୍ତ୍ର ? ଅନ୍ତଃବସ୍ତ୍ର ବାହାର କର, ଆମର ସମୟ ନଷ୍ଟ କର ନାହିଁ |”

ଏହି ମାମଲା ସାମ୍ନାକୁ ଆସିବା ପର ପରୀକ୍ଷା କେନ୍ଦ୍ର ଏହି ଘଟଣାରେ କୌଣସି ଦାୟିତ୍ବ ଗ୍ରହଣ କରିବାକୁ ମନା କରିଦେଇଛି। କୋଲାମ ପୋଲିସ ମଧ୍ୟ ସ୍ପଷ୍ଟ କରିଛି ଯେ ଏନେଇ ଅଭିଭାବକମାନେ ଅଭିଯୋଗ କରିଛନ୍ତି । ପରୀକ୍ଷା ଦେବାକୁ ଯାଇଥିବା ଅନେକ ଛାତ୍ରୀଙ୍କୁ ସେମାନଙ୍କ ଅନ୍ତଃବସ୍ତ୍ର କାଢିବାକୁ ବାଧ୍ୟ କରାଯାଇଥିଲା । ପ୍ରାୟ ୯୦% ଛାତ୍ରୀଙ୍କୁ ଅନ୍ତଃବସ୍ତ୍ର ବାହାର କରିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି । ଏଥିପାଇଁ ବହୁ ଛାତ୍ରୀ ପରୀକ୍ଷା ଦେବା ସମୟରେ ମାନସିକ ସ୍ତରରେ ପଡିଥିଲେ।

Comments are closed.