ଚାରିବର୍ଷରେ ୧୨୨ କୋଟି ଲୁଟିଛନ୍ତି ସାଇବର ଠକ, ୨ କୋଟି ୮୭ ଲକ୍ଷ ଟଙ୍କା ଉଦ୍ଧାର

ଭୁବନେଶ୍ୱର – ଗତ ୪ ବର୍ଷରେ ରାଜ୍ୟରେ ସାଇବର ଠକ ଲୁଟି ନେଇଛନ୍ତି କୋଟି କୋଟି ଟଙ୍କା । ବିଭିନ୍ନ ଆଳରେ ଲୋକଙ୍କୁ ୧୨୨ କୋଟି ଟଙ୍କା ଠକିଛନ୍ତି । ଏ ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ତୁଷାରକାନ୍ତି କହିଛନ୍ତି ଯେ, ୨୦୧୮ରୁ ୨୦୨୨ ଏପ୍ରିଲ ମାସ ମଧ୍ୟରେ ରାଜ୍ୟରେ ମୋଟ ୧୨୨ କୋଟି ୪୮ ଲକ୍ଷ ଟଙ୍କା ସାଇବର ଅପରାଧୀ ଲୁଟି ନେଇଛନ୍ତି । ସେଥିରୁ ମାତ୍ର ୨ କୋଟି ୮୭ ଲକ୍ଷ ଟଙ୍କା ଉଦ୍ଧାର ହୋଇଛି ।

୨୦୨୦ ମସିହାରେ ମୋଟ ୧୯୩୧ଟି ସାଇବର ଅପରାଧ ପଞ୍ଜିକୃତ ହୋଇଥିବାବେଳେ ୩୬୬ଜଣ ଗିରଫ ହୋଇଥିଲେ । ମୋଟ ୩୫ କୋଟି ଟଙ୍କାର ସାଇବର ଠକେଇ ହୋଇଥିଲା ଓ ଏଥିରୁ ମାତ୍ର ୧୬ ଲକ୍ଷ ଟଙ୍କା ଉଦ୍ଧାର ହୋଇପାରିଛି ।

୨୦୨୧ ମସିହାରେ ମୋଟ ୨୦୩୭ଟି ସାଇବର ଅପରାଧ ମାମଲାରେ ୪୨୫ଜଣ ଗିରଫ ହୋଇଛନ୍ତି । ମୋଟ ୪୦ କୋଟି ଟଙ୍କା ସାଇବର ଠକେଇ ହୋଇଥିଲା । ଏଥିରୁ ମାତ୍ର ୨୭ ଲକ୍ଷ ଟଙ୍କା ହିଁ ଉଦ୍ଧାର ହୋଇଥିଲା। ଚଳିତ ବର୍ଷ ଏପ୍ରିଲ ୩୦ ତାରିଖ ମଧ୍ୟରେ ରାଜ୍ୟରେ ମୋଟ ୫୬୫ଟି ସାଇବର ଅପରାଧ ମାମଲାରେ ୮୩ଜଣଙ୍କୁ ଗିରଫ କରାଯାଇଛି । ମୋଟ ୨୧ କୋଟି ଟଙ୍କାର ସାଇବର ଠକେଇ ହୋଇଛି ଓ ମାତ୍ର ୧୬ ଲକ୍ଷ ଟଙ୍କା ଉଦ୍ଧାର ହୋଇପାରିଛି ।

Comments are closed.