ସାମ୍ବାଦିକ ଡାନିଏଲ ପର୍ଲ ହତ୍ୟା ମାମଲାରେ ଦୋଷୀ ଚାରି ଆତଙ୍କବାଦୀଙ୍କୁ ମୁକ୍ତ କଲା ପାକିସ୍ତାନ, ଆମେରିକା ଖପ୍ପା

ଓ୍ୱାଶିଂଟନ – ଆମେରିକୀୟ ସାମ୍ବାଦିକ ଡାନିଏଲ ପର୍ଲ ହତ୍ୟା ମାମଲାରେ ଦୋଷୀ ଚାରି ଆତଙ୍କବାଦୀଙ୍କୁ ମୁକ୍ତ କରାଯିବା ନେଇ ପାକିସ୍ତାନ ଉପରେ ଖପ୍ପା ଆମେରିକା । ଆମେରିକା କହିଛି ଯେ ଏହା ଅତ୍ୟନ୍ତ ଗମ୍ଭୀର ବିଷୟ ଏବଂ ଏହାକୁ ବରଦାସ୍ତ କରାଯାଇପାରିବ ନାହିଁ।

ଡାନିଏଲ୍ ପର୍ଲ ଜଣେ ଆମେରିକୀୟ ସାମ୍ବାଦିକ ଥିଲେ। ୨୦୦୨ରେ ସେ ଆତଙ୍କବାଦୀ ସଂଗଠନ ଉପରେ ଏକ ଅନୁସନ୍ଧାନ ମୂଳକ ରିପୋର୍ଟ କରିବାକୁ ପାକିସ୍ତାନ ଯାଇଥିଲେ। ଏହି ସମୟରେ ତାଙ୍କୁ କିଛି ଆତଙ୍କବାଦୀ ଅପହରଣ କରିନେଇଥିଲେ ଏବଂ ପରେ ତାଙ୍କ ମୁଣ୍ଡ କାଟି ହତ୍ୟା କରାଯାଇଥିଲା । ଏହି ମାମଲାରେ ଚାରି ଜଣ ଆତଙ୍କବାଦୀ ଅହମ୍ମଦ ଉମର ଶେଖ, ଫାହଦ ନସିମ, ଶେଖ ଆଦିଲ ଏବଂ ସଲମାନ ସାକିବଙ୍କୁ ଗିରଫ କରାଯାଇଥିଲା। ଏହି ଚାରି ଆତଙ୍କକବାଦୀ ୧୮ ବର୍ଷ ଧରି ଜେଲରେ ଥିଲେ । ତେବେ ପାକିସ୍ତାନର ସିନ୍ଧ ହାଇକୋର୍ଟ ସେମାନଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେବା ପରେ ସମସ୍ତେ ଜେଲରୁ ବାହାରିଛନ୍ତି ।

ଦକ୍ଷିଣ ଏସିଆ ମାମଲା ବୁଝୁଥିବା ଆମେରିକାର ବୈଦେଶିକ ବିଭାଗର ସ୍ୱତନ୍ତ୍ର ମନ୍ତ୍ରଣାଳୟ କହିଛି ଯେ ଏହି ଆତଙ୍କବାଦୀଙ୍କ ମୁକ୍ତି ନେଇ ଆମେ ବେଶ୍ ଚିନ୍ତିତ। ଏହାକୁ ବରଦାସ୍ତ କରାଯାଇ ପାରିବ ନାହିଁ । ଏହି ଲୋକମାନେ ଜଣେ ଆମେରିକୀୟ ନାଗରିକ ତଥା ସାମ୍ବାଦିକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଆମେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛୁ। ପର୍ଲଙ୍କ ପରିବାରକୁ ନ୍ୟାୟ ଦେବା ଆମର ଦାୟିତ୍ବ। ଉଲ୍ଲେଖଯୋଗ୍ୟ, ପର୍ଲ ସେହି ସମୟରେ ‘ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍’ ପାଇଁ କାମ କରୁଥିଲେ ।

Comments are closed.