ପ୍ରଥମ ଦିନରେ ୧.୯୧ ଲକ୍ଷ ଲୋକଙ୍କୁ ଦିଆଗଲା ଟିକା

ନୂଆଦିଲ୍ଲୀ – ଦେଶରେ ଶନିବାର ଠାରୁ କରୋନା ବିରୋଧରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ୩ ଲକ୍ଷ ଲୋକଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ହେଲେ ଟିକାକରଣର ପ୍ରଥମ ଦିନରେ କେବଳ ୧ ଲକ୍ଷ ୯୧ ହଜାର ୧୮୧ ଲୋକଙ୍କୁ ଟିକା ଦିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ ଦେଶବ୍ୟାପୀ ୩୩୫୧ କେନ୍ଦ୍ରରେ ଟିକା ଦିଆଯାଇଥିଲା । ଏହି ସବୁ କେନ୍ଦ୍ରରେ ୧୬,୭୫୫ ସ୍ୱାସ୍ଥ୍ୟକର୍ମୀ, ଭାକ୍ସିନେଟରଙ୍କୁ ଟିକାକରଣ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ପ୍ରଥମ ଦିନରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ମାମଲା ସାମ୍ନାକୁ ଆସିନାହିଁ ।

ଅନ୍ୟପକ୍ଷେ ପ୍ରଥମ ଦିନର ଟିକାକରଣ ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ମାନଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି । ଆଗାମୀ ଦିନରେ ଅଧିକ ଲୋକଙ୍କୁ ଟିକା ଦିଆଯିବ ବୋଲି ହର୍ଷ ବର୍ଦ୍ଧନ କହିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଥମ ଦିନରେ ବିହାରରେ ୧୬ ହଜାର ୪୦୧ ଲୋକଙ୍କୁ ଟିକା ଦିଆଯାଇଛି । ଦିଲ୍ଲୀରେ ୩୪୦୩, ଗୁଜରାଟରେ ୮୫୫୭, ଉତ୍ତର ପ୍ରଦେଶରେ ୧୫,୯୭୫ ଲୋକଙ୍କୁ କରୋନା ଟିକା ଲଗାଯାଇଥିଲା । ଆସାମରେ ୨୭୨୧, ପଞ୍ଜାବରେ ୧୨୦୦, ଛତିଶଗଡ଼ରେ ୪୯୮୫, ହରିୟାଣାରେ ୪୬୫୬, ହିମାଚଳ ପ୍ରଦେଶରେ ୧୪୦୮, ଜମ୍ମୁକାଶ୍ମୀରରେ ୧୯୫୪, ଓଡ଼ିଶାରେ ୮୬୭୫, ରାଜସ୍ଥାନରେ ୯୨୭୯, ମଧ୍ୟପ୍ରଦେଶରେ ୬୭୩୯, କର୍ଣ୍ଣାଟକରେ ୧୨୩୬୭ ଏବଂ ମହାରାଷ୍ଟ୍ରରେ ୧୫୭୨୭ ଲୋକଙ୍କ ଟିକାକରଣ ହୋଇଛି ।

Comments are closed.