ମୋଦି ସରକାରଙ୍କ ଚାପରେ ଆସି ଟ୍ୱିଟ୍ କରିଥିଲେ କି ସେଲିବ୍ରିଟି ? ଯାଞ୍ଚ୍ କରିବେ ମହାରାଷ୍ଟ୍ର ସରକାର

ମୁମ୍ବାଇ – ନିକଟରେ ଚାଷୀ ଆନ୍ଦୋଳନକୁ ଆମେରିକୀୟ ପପ୍‌ଷ୍ଟାର ରିହାନା ସମର୍ଥନ ଜଣାଇବା ପରେ ବହୁ ଭାରତୀୟ ସେଲିବ୍ରିଟି ମୋଦି ସରକାର ସପକ୍ଷରେ ଟ୍ୱିଟ କରି ନିଜ ପ୍ରତିକ୍ରିୟା ରଖିଥିଲେ । କୌତୁହଳର ବିଷୟ ଯେ, ଅଧିକାଂଶ ଭାରତୀୟ ସେଲିବ୍ରିଟିଙ୍କ ଟ୍ୱିଟ୍‌ର ଭାଷା ଓ ଭାବ ପ୍ରାୟ ସମାନ ଥିଲା । ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଠାରୁ ଆରମ୍ଭ କରି ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାର, ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର, ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ପ୍ରମୁଖ ସେଲିବ୍ରିଟି ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ଟ୍ୱିଟ୍ କରିଥିଲେ । ତେବେ ସେଲିବ୍ରିଟିମାନେ କେନ୍ଦ୍ରର ଚାପରେ ଆସି ଟ୍ୱିଟ୍ କରିଥାଇ ପାରନ୍ତି ବୋଲି ମହାରାଷ୍ଟ୍ର ସରକାର ସନ୍ଦେହ କରୁଛନ୍ତି । ଏନେଇ ଯାଞ୍ଚ୍ କରିବାକୁ ମହାରାଷ୍ଟ୍ରର ଉଦ୍ଧବ ଥାକ୍‌ରେ ସରକାର ନିଷ୍ପତ୍ତି ନେଇଛନ୍ତି ।

ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି ଯେ, ଚାଷୀ ଆନ୍ଦୋଳନ ନେଇ ରିହାନାଙ୍କ ଟ୍ୱିଟ୍ ପରେ ସଚିନ, ଲତା, ଅକ୍ଷୟ ଓ ବିରାଟ ସମେତ ଅନ୍ୟ ସେଲିବ୍ରିଟି ମାନେ କରିଥିବା ଟ୍ୱିଟ୍ ପ୍ରାୟ ସମାନ ଥିଲା । ସେମାନଙ୍କ ଟ୍ୱିଟର ଭାଷା ମଧ୍ୟ ସମାନ ଥିଲା । ବିଶେଷକରି ବ୍ୟାଡ୍‌ମଣ୍ଟନ ଷ୍ଟାର ସାଇନା ନେହ୍ୱାଲ ଓ ଅଭିନେତା ଅକ୍ଷୟ କୁମାରଙ୍କ ଟ୍ୱିଟ୍ ପରସ୍ପର ସହ ପୂରା ମେଳ ଖାଉଥିଲା । ତା’ଛଡ଼ା ଉଭୟ ଏକା ସମୟରେ ଟ୍ୱିଟ୍ କରିଥିଲେ । ଏନେଇ ଯାଞ୍ଚ୍ କରାଯିବ । ରାଜ୍ୟ ଗୁଇନ୍ଦା ବିଭାଗ ଏହାର ଯାଞ୍ଚ୍ କରିବ ବୋଲି ଦେଶମୁଖ କହିଛନ୍ତି ।

Comments are closed.