ଏନ୍‌ଏସଏ ଅଜିତ ଡୋଭାଲଙ୍କୁ ହତ୍ୟା ଯୋଜନା କରିଥିଲା ପାକିସ୍ତାନ

ନୂଆଦିଲ୍ଲୀ – ପାକିସ୍ତାନର ଟାର୍ଗେଟରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଡୋଭାଲଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା ପାକିସ୍ତାନ । ନିକଟରେ ଗିରଫ ହୋଇଥିବା ଜୈଶ-ଏ-ମହମ୍ମଦର ଜଣେ ଆତଙ୍କାବାଦୀ ଏହି ଖୁଲାସା କରିଛି । ଡୋଭାଲଙ୍କୁ ହତ୍ୟା କରିବା ପାଇଁ ତାଙ୍କ କାର୍ଯ୍ୟାଳୟର ରେକି କରାଯାଇଥିଲା । ଡୋଭାଲଙ୍କ ପ୍ରତିଟି ଗତିବିଧି ଉପରେ ନଜର ରଖାଯାଇଥିଲା । ଗିରଫ ଜୈସ ଆତଙ୍କବାଦୀର ଖୁଲାସା ପରେ ଡୋଭାଲଙ୍କ କାର୍ଯ୍ୟାଳୟ ଓ ବାସଭବନ ବାହାରେ ସୁରକ୍ଷା ବଢ଼ାଇ ଦିଆଯାଇଛି । ତା’ଛଡ଼ା ଅନ୍ୟ ସରକାରୀ କାର୍ଯ୍ୟାଳୟ ଓ ବାସଭବନରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହୁଥିବା ଭିଭିଆଇପି ମଧ୍ୟରେ ଡୋଭାଲ ହେଉଛନ୍ତି ଅନ୍ୟତମ । ୨୦୧୬ର ଉରି ସର୍ଜିକାଲ ଷ୍ଟ୍ରାଇକ୍ ଓ ୨୦୧୯ ବାଲାକୋଟ୍ ଆକ୍ରମଣ ପରଠୁ ଡୋଭାଲ ପାକ୍ ସମର୍ଥିତ ଆତଙ୍କୀ ସଂଗଠନର ଟାର୍ଗେଟ୍‌ରେ ରହିଛନ୍ତି । ଡୋଭାଲଙ୍କ ପ୍ରତି ରହିଥିବା ବିପଦ ନେଇ ସୁରକ୍ଷା ଏଜେନ୍ସି ଓ ଗୃହ ମନ୍ତ୍ରାଳୟକୁ ଅବଗତ କରାଯାଇଥିବା ଜଣେ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ।

ଗିରଫ ଜୈଶ ଆତଙ୍କୀ ହିଦାୟତ ଉଲ୍ଲା ମଲିକକୁ ଜେରା ବେଳେ ସେ ଡୋଭାଲଙ୍କୁ ହତ୍ୟା କରିବାକୁୁ ଷଡ଼ଯନ୍ତ୍ର ସମ୍ପର୍କରେ ଜଣାପଡିଥିଲା । ତାକୁ ପଚରାଉଚରା ବେଳେ ଆହୁୁରି ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ହିଦାୟତ ହେଉଛି ଜୈଶ – ଏ – ମହମ୍ମଦର ଛାମୁଆ ସଂଗଠନ ଲସ୍କର-ଏ-ମୁସ୍ତଫାର ମୁଖିଆ । ତାକୁ ଗତମାସରେ ଜମ୍ମୁର ଅନନ୍ତନାଗରୁ ଗିରଫ କରାଯାଇଥିଲା । ତା’ ପାଖରୁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ମଧ୍ୟ ଜବତ କରାଯାଇଥିଲା ।

Comments are closed.