ଦ୍ୱିତୀୟ ଦ୍ରୁତତମ ବୋଲର ଭାବେ ୪୦୦ ୱିକେଟ୍ କ୍ଲବରେ ଅଶ୍ୱିନ

ଅହମ୍ମଦାବାଦ – ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଭାରତର ଚତୁର୍ଥ ବୋଲର ଭାବେ ଟେଷ୍ଟରେ ୪୦୦ ୱିକେଟ୍ ନେଇଛନ୍ତି । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ଦିବସରେ ସେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି । ଜୋଫ୍ରା ଆର୍ଚରଙ୍କୁ ଆଉଟ୍ କରି ଅଶ୍ୱିନ ଏହି ମାଇଲଖୁଣ୍ଟରେ ପହଞ୍ଚିଥିଲେ । ୪୦୦ ୱିକେଟ୍ କ୍ଲବରେ ପହଞ୍ଚିବାରେ ଅଶ୍ୱିନ ହେଉଛନ୍ତି ବିଶ୍ୱର ଷଷ୍ଠ ସ୍ପିନର ଏବଂ ଓଭରଅଲ ୧୬ତମ ବୋଲର । ଏହି କୀର୍ତ୍ତିମାନ ହାସଲ କରିବାରେ ଅଶ୍ୱିନ ହେଉଛନ୍ତି ବିଶ୍ୱର ଦ୍ୱିତୀୟ ଦ୍ରୁତତମ ବୋଲର । ଅଶ୍ୱିନ ନିଜର ୭୭ତମ ମ୍ୟାଚରେ ଏହି ମାଇଲଖୁଣ୍ଟ ସ୍ପର୍ଶ କରିଛନ୍ତି । ଶ୍ରୀଲଙ୍କାର ମୁଥିଆ ମୁରଲୀଧରନଙ୍କ ନାମରେ ଦ୍ରୁତତମ ୪୦୦ ୱିକେଟ୍ ରେକର୍ଡ ରହିଛି । ମୁରଲୀ ନିଜର ୭୨ତମ ଟେଷ୍ଟରେ ୪୦୦ ୱିକେଟ୍ ହାସଲ କରିଥିଲେ ।

ଅଶ୍ୱିନ ମଧ୍ୟ ଭାରତର ଦ୍ରୁତତମ ସ୍ପିନର ଭାବେ ଏହି ମାଇଲଖୁଣ୍ଟରେ ପହଞ୍ଚିଛନ୍ତି । ସେ ପୂର୍ବତନ ସ୍ପିନର ଅନିଲ କୁମ୍ବଲେଙ୍କ ରେକର୍ଡ ଭାଙ୍ଗିଛନ୍ତି । କୁମ୍ବଲେ ନିଜର ୮୨ତମ ଟେଷ୍ଟରେ ୪୦୦ ୱିକେଟ୍ ପୂରଣ କରିଥିଲା ବେଳେ ଅଶ୍ୱିନ କେବଳ ୭୭ତମ ମ୍ୟାଚରେ ଏହି ଲକ୍ଷ୍ୟରେ ପହଞ୍ଚିଛନ୍ତି ।

ଅଶ୍ୱିନଙ୍କ ପୂର୍ବରୁ ଭାରତର କୁମ୍ବଲେ (୬୧୯), କପିଳ ଦେବ (୪୩୪) ଏବଂ ହରଭଜନ ସିଂ (୪୧୭) ଟେଷ୍ଟରେ ୪୦୦ ୱିକେଟ୍ ନେଇଥିଲେ ।
ଅଶ୍ୱିନଙ୍କ ୪୦୦ ୱିକେଟ୍ ମଧ୍ୟରୁ କେବଳ କ୍ୟାଚରେ ହିଁ ୨୨୨ ଶିକାର କରିଛନ୍ତି ଏହି ଭାରତୀୟ ସ୍ପିନର । ସେ ୮୫ ଖେଳାଳିଙ୍କୁ ବୋଲ୍ଡ ଆଉଟ୍ କରିଥିବା ବେଳେ ଆଉ ୮୪ ଲେଗ୍ ବିଫୋର ଏବଂ ୯ ୱିକେଟ୍ ଷ୍ଟମ୍ପ ଆଉଟ୍ ଭାବେ ପାଇଛନ୍ତି ।

Comments are closed.