ଗୋପାଳପୁର: ଲାଇଫ୍ ଗାର୍ଡ ବଞ୍ଚାଇଲେ ୩ ଜୀବନ

ଗୋପାଳପୁର: ଗୋପାଳପୁର ବେଳାଭୂମିରେ ମୁତୟନ ଲାଇଫ୍ ଗାର୍ଡଙ୍କ ତତ୍ପରତା ଯୋଗୁଁ ୩ ଜଣଙ୍କ ଜୀବନ ରକ୍ଷା ହୋଇପାରିଛି। ତେବେ ଆଉ ଜଣେ ଯୁବକ ସମୁଦ୍ରରେ ଭାସି ନିଖୋଜ ହୋଇଯାଇଛନ୍ତି। ଗୋପାଳପୁର ସମୁଦ୍ର ତଟରେ ଏହି ଘଟଣା ଘଟିଛି। ସ୍କୁଲ କଲେଜ ଛୁଟି ଥିବାରୁ କୁକୁଡ଼ାଖଣ୍ଡି ବ୍ଲକର ୪ ଜଣ ବନ୍ଧୁ ଗୋପାଳପୁର ବୁଲିବାକୁ ଆସିଥିଲେ। ସମୁଦ୍ରରେ ଗାଧୋଉଥିବା ବେଳେ ଗଭୀର ସମୁଦ୍ର ପାଣିକୁ ଚାଲିଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନାବାଳକ କୁକୁଡ଼ାଖଣ୍ଡିର ସଞ୍ଜୟ ଦାସ (୧୭) ସମୁଦ୍ରରେ ବୁଡ଼ି ନିଖୋଜ ହୋଇଯାଇଛନ୍ତି। ତେବେ ସେଠାରେ ନିୟୋଜିତ ଲାଇଫ୍ ଗାର୍ଡ ଜି.ଜଗନ୍ନାଥଙ୍କ ତତ୍ପରତା ଯୋଗୁଁ ଅନ୍ୟ ତିନି ଜଣଙ୍କୁ ଉଦ୍ଧାର କରାଯାଇ ପାରିଛି। ସମୁଦ୍ର ଗଭୀର ପାଣିରେ ଭାସି ଯାଉଥିବା ଦେଖି ଜଗନ୍ନାଥ ତୁରନ୍ତ ପାଣି ଭିତରେ ପଶି ମଦନ ମୋହନ ଦାସ, ଅଭିନାଶ ଦାସ, ଦୀପକ ନାୟକଙ୍କୁ ଉଦ୍ଧାର କରି କୂଳକୁ ସୁରକ୍ଷିତ ଭାବେ ଉଦ୍ଧାର କରି ଆଣିଥିଲେ। ସେ ଗୋପାଳପୁର ଥାନାରେ ସଞ୍ଜୟଙ୍କ ନିଖୋଜ ବାବଦରେ ରିପୋର୍ଟ କରିଛନ୍ତି। ଏଥିସହ ଜଗନ୍ନାଥ ଉଦ୍ଧାର କରିଥିବା ୩ ଜଣଙ୍କୁ କୂଳକୁ ଆଣି ପ୍ରାଥମିକ ଚିକିତ୍ସା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଜଗନ୍ନାଥଙ୍କ ସାହସିକତାକୁ ସମସ୍ତେ ପ୍ରଶଂସା କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଜି.ଜଗନ୍ନାଥ ପୂର୍ବରୁ ମଧ୍ୟ ଅନେକ ପର୍ଯ୍ୟଟକ, ସାଧାରଣ ଲୋକଙ୍କୁ ସମୁଦ୍ର ପାଣିରେ ବୁଡ଼ିଯିବାରୁ ଉଦ୍ଧାର କରି ପ୍ରଶଂସିତ ତଥା ଏକାଧିକ ଥର ପୁରସ୍କୃତ ହୋଇଛନ୍ତି।

Comments are closed.