କୃଷି ଆଇନ ବିରୋଧରେ ଲମ୍ବା ଲଢ଼େଇ ପାଇଁ ପ୍ରସ୍ତୁତି, ଆନ୍ଦୋଳନ ସ୍ଥଳରେ ପକ୍କା ଘର ନିର୍ମାଣ କରୁଛନ୍ତି ଚାଷୀ

ନୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ଚାରି ମାସରୁ ଊର୍ଦ୍ଧ୍ୱ କାଳ ଧରି ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି କୃଷକ ସଂଗଠନ । ଏବେ ଏହି ବିବାଦୀୟ ଆଇନ ବିରୋଧରେ ଲମ୍ବା ଲଢ଼େଇ ପାଇଁ ସେମାନେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଆନ୍ଦୋଳନ ସ୍ଥଳରେ ଚାଷୀମାନେ ଅନେକ ପକ୍କା ଘର ନିର୍ମାଣ କରୁଥିବା ଦେଖିବାକୁ ମିଳିଛି ।

ଶୀତ କାକରରେ ତିନି ମାସ ପଡି ରହିବା ପରେ ଆନ୍ଦୋଳନରତ ଚାଷୀଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ସେମାନଙ୍କ ଆନ୍ଦୋଳନକୁ ଦୁର୍ବଳ କରିବା ପାଇଁ ପ୍ରଶାସନ ଆନ୍ଦୋଳନ ସ୍ଥଳର ଚାରିପଟେ କଣ୍ଟା ତାରବାଡ଼ ବେଢ଼ାଇବା ସହ ଚାଷୀମାନଙ୍କୁ ଇଣ୍ଟରନେଟ୍ ସେବା ସହ ପିଇବା ପାଣି ମଧ୍ୟ ବନ୍ଦ କରିଦେଇଥିଲା । କିନ୍ତୁ ଧମକ ଓ ଚେତାବନୀକୁ ଭ୍ରୂକ୍ଷେପ ନ କରି କୃଷି ଆଇନ ବିରୋଧରେ ନିଜ ଆନ୍ଦୋଳନକୁ ଜୋରଦାର କରିବା ପାଇଁ କୃଷକ ନେତାମାନେ ନିଷ୍ପତ୍ତି ନେଇଛନ୍ତି । ଏହି ତିନି ଆଇନକୁ କେନ୍ଦ୍ର ସରକାର ପ୍ରତ୍ୟାହାର ନ କରିବା ଯାଏଁ ସେମାନେ ଘରକୁ ଫେରିବେ ନାହିଁ ବୋଲି କହିଛନ୍ତି । ଏଥିପାଇଁ ସେମାନେ ଦିଲ୍ଲୀ ସୀମାରେ ପକ୍କା ଘର ନିର୍ମାଣ କରିବା ଆରମ୍ଭ କରିଛନ୍ତି ।

ଟିକରି ସୀମାରେ କିଛି ଚାଷୀ ଏହି ଭଳି ଏକାଧିକ ଘର ତିଆରି କରିଛନ୍ତି । ଘର ତିଆରି ପାଇଁ ଉଦ୍ଦିଷ୍ଟ ସବୁ ସାମଗ୍ରୀ ପାଇଁ ସେମାନେ ନିଜ ହାତରୁ ଖର୍ଚ୍ଚ କରୁଥିଲେ ବି ଶ୍ରମଖର୍ଚ୍ଚ ବଞ୍ଚାଇବା ପାଇଁ ନିଜେ ହିଁ ଶ୍ରମିକ ସାଜିଛନ୍ତି । ପ୍ରତି ଘର ପିଛା ୨୦ ରୁ ୨୫ ହଜାର ଖର୍ଚ୍ଚ ହୋଇଥିବା ସେମାନେ କହିଛନ୍ତି ।

Comments are closed.