ପଶ୍ଚିମବଙ୍ଗ ନିର୍ବାଚନ: ବିଜେପିର ଅନ୍ତିମ ପ୍ରାର୍ଥୀ ତାଲିକାରେ ମିଥୁନଙ୍କ ନାଁ ନାହିଁ

କୋଲକାତା – ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବିଜେପି ଆଜି ଏହାର ଅନ୍ତିମ ପ୍ରାର୍ଥୀ ତାଲିକା ଜାରି କରିଛି । ଏଥିରେ ୧୩ ଜଣ ପ୍ରାର୍ଥୀଙ୍କ ନାମ ରହିଛି । ହେଲେ ଏଥିରେ ମିଥୁନ ଚକବ୍ରର୍ତ୍ତିଙ୍କ ନାମ ନାହିଁ । ଏହି ଲୋକପ୍ରିୟ ଅଭିନେତା ରାସବିହାରୀ ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏହି ଆସନରୁ ଅବସରପ୍ରାପ୍ତ ଲିୟୁଟନାଣ୍ଟ୍ ଜେନେରାଲ ସୁବ୍ରତ ଶାହାଙ୍କୁ ପ୍ରାର୍ଥୀ କରିଛି ବିଜେପି । ଆଉ କିଛି ବିଜେପି ନେତା କହିଥିଲେ ଯେ, ମିଥୁନ ଦା’ଙ୍କୁ ସମ୍ମାନଜନକ ଦକ୍ଷିଣ କୋଲକାତା ଆସନ ମିଳିବ । ହେଲେ ଏହି ଦୁଇ ଆସନରୁ ଗୋଟିଏରେ ବି ମିଥୁନଙ୍କୁ ପ୍ରାର୍ଥୀ କରାଯାଇ ନାହିଁ ।

ମାର୍ଚ୍ଚ ୭ରେ କୋଲକାତାର ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଏକ ମେଗା ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ମିଥୁନ ବିଜେପିରେ ଯୋଗ ଦେଇଥିଲେ । ସେ ସେତେବେଳେ ଏକ ଡାଏଲଗ୍ କହିଥିଲେ, ଯାହା ବେଶ୍ ଆଦୃତ ହୋଇଥିଲା । ମିଥୁନ କହିଥିଲେ – ମୁଁ କୌଣସି ମାମୁଲି ସାପ ନୁହେଁ । ମୁଁ ନାଗ.. ମୋର ଗୋଟିଏ ଚୋଟ ଯଥେଷ୍ଟ । ତାଙ୍କର ଏହି ଡାଏଲଗ୍‌କୁ ଲୋକେ ବେଶ୍ ପସନ୍ଦ କରିଥିଲେ । ତା’ଛାଡ଼ ଏହି ଭେଟେରାନ ଅଭିନେତା ନିକଟରେ ମୁମ୍ବାଇ ଭୋଟର ତାଲିକାରୁ ନିଜ ନାମ ହଟାଇ କୋଲକାତାରେ ପଞ୍ଜିକରଣ କରାଇଥିଲେ ।

Comments are closed.