ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଇସ୍ତଫା

ମୁମ୍ବାଇ – ମହାରାଷ୍ଟ୍ର ଗୃହମନ୍ତ୍ରୀ ପଦରୁ ଶେଷରେ ଇସ୍ତଫା ଦେଇଛନ୍ତି ଅନିଲ ଦେଶମୁଖ । ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ବମ୍ବେ ହାଇକୋର୍ଟ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାର କିଛି ଘଣ୍ଟା ପରେ ଦେଶମୁଖ ପଦ ଛାଡ଼ିଛନ୍ତି । ରାଜ୍ୟପାଳ ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ଦେଶମୁଖ ।

ଦେଶମୁଖ ଏନ୍‌ସିପି କୋଟାରୁ ‘ମହାବିକାଶ ଅଗାଡି’ ମେଣ୍ଟ ସରକାରରେ ଗୃହମନ୍ତ୍ରୀ ହୋଇଥିଲେ । ଏନ୍‌ସିପି ନେତା ନୱାବ ମଲିକ କହିଛନ୍ତି ଯେ, ବମ୍ବେ ହାଇକୋର୍ଟଙ୍କ ସିବିଆଇ ତଦନ୍ତ ନିର୍ଦ୍ଦେଶ ପରେ ଦେଶମୁଖ ପଦରେ ରହିବାକୁ ଚାହିଁନଥିଲେ । ହାଇକୋର୍ଟ ରାୟ ପରେ ସେ ଶରଦ ପାୱାରଙ୍କ ସହ ସବୁ ଦଳୀୟ ନେତାଙ୍କୁ ଭେଟି ନିଜ ନିଷ୍ପତ୍ତି ସମ୍ପର୍କରେ ଜଣାଇଥିଲେ । ପରେ ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟି ତାଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ଦଳ (ଏନ୍‌ସିପି) ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଇସ୍ତଫା ଗ୍ରହଣ କରିବାକୁ ଅନୁରୋଧ କରିଛି ।

ମୁମ୍ବାଇର ପୂର୍ବତନ ପୋଲିସ୍ କମିଶନର ପରମବୀର ସିଂହଙ୍କ ଆବେଦନ ଉପରେ ବମ୍ବେ ହାଇକୋର୍ଟ ଆଜି ଦେଶମୁଖଙ୍କ ବିରୋଧରେ ହୋଇଥିବା ଅଭିଯୋଗର ୧୫ ଦିନ ମଧ୍ୟରେ ତଦନ୍ତ ଆରମ୍ଭ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ । ଦେଶମୁଖଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଅପ୍ରତ୍ୟାଶିତ ଓ ଅସାଧାରଣ ବୋଲି ଅଭିହିତ କରି ଏହାର ନିରପେକ୍ଷ ଓ ସ୍ୱାଧୀନ ତଦନ୍ତ ହେବା ଉଚିତ ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ ଦୀପଙ୍କର ଦତ୍ତା ଓ ଜଷ୍ଟିସ୍ ଜିଏସ୍ କୁଲକର୍ଣ୍ଣିଙ୍କ ଖଣ୍ଡପୀଠ କହିଥିଲେ । ଉଲ୍ଲେଖଯୋଗ୍ୟ, ଦେଶମୁଖ ମୁମ୍ବାଇର ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରୁ ମାସିକ ୧୦୦ କୋଟି ଟଙ୍କା ବଟି ଆଦାୟ କରିବାକୁ ନିଲମ୍ବିତ ପୋଲିସ୍ ଅଧିକାରୀ ସଚିନ ବାଜେଙ୍କୁ ଟାର୍ଗେଟ ଦେଇଥିଲେ ବୋଲି ପରମବୀର ଅଭିଯୋଗ କରିଥିଲେ ।

Comments are closed.