ବିଧାନସଭା ନିର୍ବାଚନ: ତାମିଲନାଡୁ, କେରଳ ଓ ପୁଡୁଚେରୀରେ ମତଦାନ ଆରମ୍ଭ, ପଶ୍ଚିମବଙ୍ଗରେ ତୃତୀୟ ଓ ଆସାମରେ ଶେଷ ପର୍ଯ୍ୟାୟ ଭୋଟ୍

ନୂଆଦିଲ୍ଲୀ – ତାମିଲନାଡୁ ଓ କେରଳ ସମେତ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ଏହି ତିନି ରାଜ୍ୟରେ ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ ହେବ । ସେପଟେ ପଶ୍ଚିମବଙ୍ଗରେ ଆଜି ତୃତୀୟ ପର୍ଯ୍ୟାୟ ଓ ଆସାମରେ ଅନ୍ତିମ ପର୍ଯ୍ୟାୟ ମତଦାନ ମଧ୍ୟ ଆରମ୍ଭ ହୋଇସାରିଛି ।

ତୃତୀୟ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ୩୧ଟି ଆସନରେ ଭୋଟ୍ ହେବ । ଏହି ପର୍ଯ୍ୟାୟରେ ୭୮ ଲକ୍ଷ ୫୦ ହଜାର ଭୋଟର ୨୦୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ବିଜେପିର ସ୍ୱପନ ଦାସଗୁପ୍ତା, ଟିଏମ୍‌ସିର ଅସୀମା ପାତ୍ର ଏବଂ ସିପିଏମ୍‌ର କାନ୍ତି ଗାଙ୍ଗୁଲି ପ୍ରମୁଖ ପ୍ରାର୍ଥୀଙ୍କ ଏହି ପର୍ଯ୍ୟାୟରେ ଭାଗ୍ୟ ସ୍ଥିର କରିବେ ମତଦାତା । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ ୧୦ ହଜାର ୮୭୧ ମତଦାନ କେନ୍ଦ୍ରରେ ପ୍ରାୟ ୬୧୮ କମ୍ପାନୀ ସୁରକ୍ଷାବଳ ମୁତୟନ ହୋଇଛନ୍ତି । ୨୦୧୬ ନିର୍ବାଚନରେ ଏହି ୩୧ ଆସନରୁ ଟିଏମ୍‌ସି ୩୦ରେ ଜିତିଥିଲା ।

ସେହିପରି ଆସାମରେ ଆଜି ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି । ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ଅନ୍ତିମ ପର୍ଯ୍ୟାୟରେ ରାଜ୍ୟର ୪୦ଟି ଆସନରେ ଭୋଟ୍ ହେବ । ମନ୍ତ୍ରୀ ହିମନ୍ତ ବିଶ୍ୱା ଶର୍ମାଙ୍କ ସହିତ ୩୩୭ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍ ହୋଇଯିବ । ବୋଡୋଲାଣ୍ଡ୍ ପ୍ରାଦେଶିକ ଅଞ୍ଚଳ (ବିଟିଆର୍‌) ଅଧୀନ ତିନି ଜିଲ୍ଲା ସମେତ ୧୨ ଜିଲ୍ଲାରେ ମତଦାନ ସନ୍ଧ୍ୟା ୬ଟା ଯାଏଁ ଚାଲିବ ।

କେରଳରେ ଆଜି ନିର୍ବାଚନ ଆରମ୍ଭ ହୋଇଯାଇଛି । ସମସ୍ତ ୧୪୦ଟି ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ । ଦୁଇ କୋଟି ୭୪ ଲକ୍ଷ ଭୋଟର ୯୫୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ସବୁଥର ଭଳି ଏଥର ମଧ୍ୟ ଦୁଇ ମେଣ୍ଟ ସିପିଏମ୍ ନେତୃତ୍ୱାଧୀନ ଏଲ୍‌ଡିଏଫ୍ ଏବଂ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱୀତା ହେବ । ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ ସମେତ ସ୍ୱାସ୍ଥ୍ୟମନ୍ତ୍ରୀ ଶୈଳଜା, ଦେବସ୍ୱମ ମନ୍ତ୍ରୀ କଡକମପଲ୍ଲୀ ସୁରେନ୍ଦ୍ରନ, ଶକ୍ତିମନ୍ତ୍ରୀ ଏମଏମ୍ ମଣି ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ କେକେ ଜଲ୍ଲୀଲଙ୍କ ଭଳି ହେଭିୱେଟ ନେତା ପୁନର୍ବାର ନିର୍ବାଚିତ ହେବା ନେଇ ଆଶାବାଦୀ ଅଛନ୍ତି ।

ସେପଟେ ବିଜେପି ମଧ୍ୟ କେରଳରେ ନିଜ ଉପସ୍ଥିତି ଜାହିର କରିବା ପାଇଁ ଆଶା ବାନ୍ଧିଛି । ‘ମେଟ୍ରେମ୍ୟାନ୍‌’ ଭାବେ ପରିଚିତ ଇ.ଶ୍ରୀଧରନଙ୍କ ବ୍ୟତୀତ ମିଜୋରାମର ପୂର୍ବତନ ରାଜ୍ୟପାଳ ରାଜଶେଖରନ, ରାଜ୍ୟ ସଭାପତି କେ.ସୁରେନ୍ଦ୍ରନ, ବରିଷ୍ଠ ନେତା ଶୋଭା ସୁରେନ୍ଦ୍ରନ ପ୍ରମୁଖ ବିଜେପି ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।

ତାମିଲନାଡୁରେ ବି ୨୩୪ ଆସନ ପାଇଁ ଆଜି ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ଚାଲିଛି । ୩୯୯୮ ପ୍ରାର୍ଥୀଙ୍କ ଭାଗ୍ୟ ଆଜି ଇଭିଏମ୍‌ରେ ସିଲ ହୋଇଯିବ । ପ୍ରାୟ ୬ କୋଟି ୨୮ ଲକ୍ଷ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ ।

ତାମିଲନାଡୁରେ ଏଥର ଜୋରଦାର ଲଢ଼େଇ ହେବ ବୋଲି ମନେ କରାଯାଉଛି । ସବୁଥର ଭଳି ଏଥର ବି ଆଇଏମଡିଏମ୍‌କେ ଓ ଡିଏମ୍‌କେ ମଧ୍ୟରେ କଡ଼ା ଟକ୍କର ହେବ । ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀଙ୍କ ବ୍ୟତୀତ ଉପମୁଖ୍ୟମନ୍ତ୍ରୀ ଓ.ପନୀରସେଲଭମ, ଡିଏମ୍‌କେ ଅଧ୍ୟକ୍ଷ ଏମକେ ଷ୍ଟାଲିନ, ଏମ୍‌ଏମ୍‌ଏମକେ ପ୍ରତିଷ୍ଠାତା ଟିଟିବି ଦିନାକରଣ, ଅଭିନେତା ତଥା ମକ୍କଲ ନିଧି ମୟମ (ଏମ୍‌ଏନ୍‌ଏମ) ସଭାପତି କମଲ ହାସନ ପ୍ରମୁଖ ନେତା ନିର୍ବାଚନ ରଣାଙ୍ଗନରେ ଅଛନ୍ତି । ଏଆଇଏଡିଏମ୍‌କେ କ୍ରମାଗତ ତୃତୀୟ ଥର କ୍ଷମତା ଅକ୍ତିଆର କରିବ ନା ୧୦ ବର୍ଷ ପରେ ଡିଏମ୍‌କେର ପ୍ରତ୍ୟାବର୍ତ୍ତନ ହେବ ତାହା ଏହି ନିର୍ବାଚନ ସ୍ଥିର କରିବ ।

ପୁଡୁଚେରୀରେ ୩୦ ବିଧାନସଭା ପାଇଁ ମଧ୍ୟ ଆଜି ମତଦାନ ଚାଲିଛି । ନିର୍ବାଚନରେ ଏଥର ୩୨୪ ପ୍ରାର୍ଥୀ ରହିଛନ୍ତି ।

Comments are closed.