ଦିଲ୍ଲୀ ହାଇକୋର୍ଟଙ୍କ ରାୟ, କାର୍‌ରେ ଏକା ଥିଲେ ବି ମାସ୍କ ବାଧ୍ୟତାମୂଳକ

ନୂଆଦିଲ୍ଳୀ – କୋଭିଡ୍ ନିୟମ ଉପରେ ଦିଲ୍ଲୀ ହାଇକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କାର୍‌ରେ ଏକା ଥିଲେ ବି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି କୋର୍ଟ କହିଛନ୍ତି । କାର୍ ଏକ ସର୍ବସାଧାରଣ ସ୍ଥାନ । କୋଭିଡ୍‌-୧୯ ସଂକ୍ରମଣ ରୋକିବା ପାଇଁ ମାସ୍କ ଏକ ‘ସୁରକ୍ଷା କବଚ’ ବୋଲି ଦିଲ୍ଲୀ ହାଇକୋର୍ଟ ନିଜ ରାୟରେ କହିଛନ୍ତି ।

କାର୍‌ରେ ଏକା ଥିବା ବ୍ୟକ୍ତିଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯିବା ନିଷ୍ପତ୍ତିକୁ ଚାଲେଞ୍ଜ୍ କରି ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାୟର ହୋଇଥିଲା । ଏହାର ଶୁଣାଣି କରି ହାଇକୋର୍ଟ ଉପରୋକ୍ତ ରାୟ ଶୁଣାଇଛନ୍ତି ।

ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ମାସ୍କ ନ ପିନ୍ଧିଲେ ଦୁଇ ହଜାର ଟଙ୍କା ଜରିମାନା ଦେବାକୁ ପଡିବ । କାର୍‌ରେ ଯଦି ଜଣେ ବ୍ୟକ୍ତି ଥାଆନ୍ତି ଓ ସେ ଯଦି ମାସ୍କ ପିନ୍ଧିନଥାନ୍ତି, ତେବେ ତାଙ୍କର ଚାଲାଣ କାଟିବା ବେଳେ ପୋଲିସ୍ ସହ ବିବାଦ ହେଉଥିଲା । ତେବେ ଏହି ପ୍ରସଙ୍ଗରେ ହାଇକୋର୍ଟଙ୍କ ରାୟ ଆସିବା ପରେ କାର୍‌ରେ ଏକା ଥିବା ଲୋକଙ୍କୁ ମଧ୍ୟ ମାସ୍କ ପିନ୍ଧିବାକୁ ପଡିବ ବୋଲି ସ୍ପଷ୍ଟ ହୋଇଛି ।

ଦିଲ୍ଲୀରେ ଏବେ କରୋନା ସଂକ୍ରମଣ ପୁଣି ଅଣାୟତ୍ତ ହୋଇପଡିଛି । ଦିନକରେ ଜାତୀୟ ରାଜଧାନୀରେ ୫୧୦୦ ମାମଲା ଆସିଛି, ଯାହା ୨୭ ନଭେମ୍ବର ପରେ ସର୍ବାଧିକ । ଗମ୍ଭୀର ସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏପ୍ରିଲ ୩୦ ଯାଏଁ ଦିଲ୍ଲୀରେ ରାତି ୧୦ରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ଲଗାଇଛନ୍ତି ।

Comments are closed.