କରୋନାର ଦ୍ବିତୀୟ ଲହର ରୋକିବାକୁ ଅଣ୍ଟା ଭିଡିଲା ପ୍ରଶାସନ

ବୁର୍ଲା କୋଭିଡ୍ ହସପିଟାଲ ୨ ଶହ ଶଯ୍ୟାକୁ ବୃଦ୍ଧି ନିଷ୍ପତ୍ତି

ସପ୍ତାହେ ମଧ୍ୟରେ କାର୍ଯ୍ୟକ୍ଷମ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ସମ୍ବଲପୁର : କରୋନାର ଦ୍ବିତୀୟ ଲହରି ପୁଣି ଥରେ ଆତଙ୍କ ସୃଷ୍ଟି କଲାଣି । ଏହା ପୂର୍ବପେକ୍ଷା ଅଧିକ ସଂକ୍ରାମକ ରୂପ ଧାରଣ କରିବାରେ ଲାଗିଛି । ତେବେ , ବର୍ତ୍ତମାନ ସ୍ଥିତି ସଂପୂର୍ଣ ନିୟନ୍ତ୍ରଣରେ ଥିବା ବେଳେ ପୁଣି ଥରେ ପ୍ରଶାସନ ପୂର୍ବ ଭଳି ଏହି ମହାମାରୀକୁ କାବୁ କରିବାକୁ ଅଣ୍ଟା ଭିଡି ଦେଇଛି । ଏଥିପାଇଁ ବୁର୍ଲା କୋଭିତ୍ ହସପିଟାଲର ଶଯ୍ୟା ସଂଖ୍ୟାକୁ ୧୨୦ରୁ ୨ ଶହକୁ ବୃଦ୍ଧି କରିବାକୁ ନିଷ୍ପତି ନିଆଯାଇଛି । ଜିଲ୍ଲାପାଳ ଶୁଭମ ସକ୍ସେନା ଭିମସାରରେ ଏହାର ସମୀକ୍ଷା କରି ଏହି ନିଷ୍ପତ୍ତି ନେଇଛନ୍ତି । ଏହାଛଡା ଆସନ୍ତା ସପ୍ତାହେ ମଧ୍ୟରେ ସମସ୍ତ ୨ ଶହ ଶଯ୍ୟାକୁ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କିଛି ମାସର ବ୍ୟବଧାନ ପରେ ପୁଣି ଥରେ କରୋନା ତାର କାୟା ମେଲାଇ ଚାଲିଛି । ତେବେ ,ଗତଥର ପ୍ରଶାସନର ତ୍ବରିତ ପଦକ୍ଷେପ ସାଙ୍ଗକୁ ଅକ୍ଲାନ୍ତ ପରିଶ୍ରମ ଫଳରେ ଏହି ମହାମାରୀକୁ ଅନେକ ମାତ୍ରାରେ କାବୁ କରାଯାଇଥିଲା । କୋଭିଡ ପରିଚାଳନାରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ବିଶେଷ ସଫଳତା ସାଉଁଟିଥିଲା । ତେବେ , ସେହି ଅଭିଜ୍ଞତାକୁ ପାଥେୟ କରି ବର୍ତ୍ତମାନ ପୁଣି ଥରେ ପୂର୍ବ ଭଳି ମହାମାରୀ ମୁକାବିଲା ଅଭିଯାନରେ ପ୍ରଶାସନ ଲମ୍ଫ ଦେଇଛି । ସମ୍ବଲପୁର ଜିଲ୍ଲାରେ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ଥିଲେ ହେଁ ବୁର୍ଲା ମେଡିକାଲ ଉପରେ ସମଗ୍ର ପଶ୍ଚିମ ଓଡ଼ିଶା ସମେତ ପଡୋଶୀ ଛତିଶଗଡ଼ର ଲୋକ ନିର୍ଭର କରୁଥିବାରୁ ଜିଲ୍ଲା ପ୍ରଶାସନ ଅଧିକ ତତ୍ପର ହୋଇଛି ।

ତେବେ , ଅନେକ ମାସ ହେଲା , କେବଳ ପଶ୍ଚିମ ଓଡିଶାରେ ଏକମାତ୍ର କୋଭିଡ୍ ହସପିଟାଲ ଭାବେ ବୁର୍ଲା କୋଭିତ୍ ହସପିଟାଲ କାର୍ଯ୍ୟ କରୁଥିବା ବେଳେ ଏଠାରେ ମାତ୍ର ୧୨୦ଟି ବେଡ୍ ରହିଛି । ଆଉ ବର୍ତ୍ତମାନ ରୋଗୀ ସଂଖ୍ୟା ବଢ଼ିବା ପରେ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢିଥିଲା । ଫଳରେ ଏଠାରେ ଆଉ ୮୦ଟି ବେଡ୍ ଖୋଲିବାକୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଭିମସାର କର୍ତ୍ତୃପକ୍ଷଙ୍କ ସହ ହୋଇଥିବା ବୈଠକରେ ସ୍ଥିର ହୋଇଛି । ବର୍ତ୍ତମାନ ମୋଟ୍ ୧୨୦ଟି ବେଡ୍ ମଧ୍ୟରୁ ୨୦ଟି ଆଇସିୟୁ ବେଡ୍ ରହିଛି । ହେଲେ ଆଗକୁ ହେବାକୁ ଥିବା ମୋଟ୍ ୨ଶହ ଟି ବେଡ୍ ମଧ୍ୟରୁ ୫୦ଟିରେ ଆଇସିୟୁ ବ୍ୟବସ୍ଥା ଏବଂ ଅନ୍ୟ ୧୫୦ଟି ସାଧାରଣ ଶଯ୍ୟା ରଖିବାକୁ ସ୍ଥିର ହୋଇଛି । ତେବେ , ଆସନ୍ତା ସପ୍ତାହେ ମଧ୍ୟରେ ବର୍ଦ୍ଧିତ ବେଡରେ ରୋଗୀ ସେବା ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି । ଜିଲ୍ଲାପାଳ ସକ୍ସେନା ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ କର୍ତ୍ତୃପକ୍ଷଙ୍କ ସମେତ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲାପାଳଙ୍କ ସମୀକ୍ଷା ସମୟରେ ଭିମସାର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେରଙ୍କ ସମେତ ମେଡିକାଲର ଅନ୍ୟ ସମସ୍ତ ଅଧିକାରୀ , କୋଭିଡ ହସ୍ପିଟାଲ ଅଧିକାରୀ ଏବଂ ପୂର୍ତ୍ତ ବିଭାଗ ଏସଡିଓ , ଜିଇଡି ବିଭାଗ ଅଧୁକାରୀ , ପିଏଚଡି ଅଧିକାରୀ ଆଦି ଉପସ୍ଥିତ ଥିଲେ ।

Comments are closed.