ଆଜି ଛାଡ଼ଖାଇ, ଚଉରା ମୂଳେ ଭୀମଙ୍କର ପୂଜା କରାଯାଇ ବ୍ରତ ଉଜ୍ଜାପନ କରାଯିବ

ଏକମାସ ବ୍ୟାପି ଚାଲିଥିବା କାର୍ତ୍ତିକ ବ୍ରତ କାର୍ତ୍ତିକ ପୂର୍ଣ୍ଣିମା ଦିନ ଉଦଯାପିତ ହେଇଥାଏ।ମାସ ସାରା ହବିଷ ଭକ୍ଷଣ, ଦେବ ଦର୍ଶନ,ପୁରାଣ ପାଠ,ଚଉରା ମୂଳେ ମୁରୁଜ ଆଙ୍କି ରାଇ ଦାମୋଦର,ଲକ୍ଷ୍ମୀ ନାରାୟଣ,ଶିବ ପାର୍ବତୀଙ୍କ ପୂଜା ଚାଲିଥାଏ।ପୂର୍ଣ୍ଣିମା ର ପରଦିନକୁ କୁହାଯାଏ “ଛାଡ଼ଖାଇ”।

ଧର୍ମ ସହିତ ପ୍ରକୃତିର କିଛି ସମଞ୍ଜସ୍ୟ ତା ରହିଛି। ଯାହାକୁ ଗୋଟିଏ ଭାଷାରେ ବିଜ୍ଞାନ କୁହାଯାଇ ପାରେ। ଏହିମତ ଆଧାରରେ କାର୍ତ୍ତିକ ମାସରେ କିଛି ଖାଦ୍ୟପେୟର ବାରଣ ରହିଚି।ଏହାଛଡା କାର୍ତ୍ତିକ ମାସରେଚୁଟିକାଟିବା,କିଛିଫୁଲ ,ଫଳ,ପତ୍ର ତୋଳିବା ମଧ୍ୟ ବାରଣ ଥାଏ।ଯେଉଁମାନେ କାର୍ତ୍ତିକ ବ୍ରତ କରନ୍ତି ସେମାନେ ମାସ ସାରା ନଖ କାଟନ୍ତି ନାହିଁ, ଚୁଟି କାଟନ୍ତି ନାହିଁ, ତୁଳସୀ ପତ୍ର ତୋଳନ୍ତି ନାହିଁ,କଦଳୀ ପତ୍ର ମଧ୍ୟ କାଟନ୍ତିନି।

ବର୍ଷା ଛାଡିଥାଏ ଆଉ ଶୀତର ଆରମ୍ଭ ମଧ୍ୟ ହେଇଥାଏ । ଏମିତି ଏକ ମଝାମଝି ରେ କାର୍ତ୍ତିକ ମାସ ଆସିଥାଏ।ଏହି ସମୟରେ ପାଣିପାଗ ସହ ମଣିଷ ଓ ପଶୁପକ୍ଷୀ ଙ୍କ ଶରୀର ରେ ଅନେକ ପରିବର୍ତ୍ତନ ଆସିଥାଏ।ଯେମିତି କି ଏଇ ମାସରେ ମଣିଷ ଶରୀର ରେ ପିତ୍ତ ଓ କଫ ଅଧିକ ହେଇ ଥାଏ। ହଜମ ଶକ୍ତି କମିଯାଏ।ତେଣୁ ଏଇମାସରେ ଗୋଟିଏ ଥର ଖାଦ୍ୟଗ୍ରହଣ କରିବା ବିଧି ଅଛି। ବିନା ମସଲା,ହଳଦୀ ରେ ନିର୍ଦ୍ଦିଷ୍ଟ କିଛି ପରିବା କୁ ନେଇ ଖାଦ୍ୟ ପ୍ରସ୍ତୁତ ହେଇଥାଏ।ଯାହା କି ଗରିଷ୍ଠ ହେଇ ନଥାଏ।ଏହା ହଜମ ଶକ୍ତି କୁ ବଢେଇବା ସହ ଦେହକୁ ରୋଗମୁକ୍ତ କରିଥାଏ।ଆଉ ସାତ୍ତ୍ଵିକ ହୋଇଥିବାରୁ ଦେହ ମନ ଶାନ୍ତ ସଂଯମ ରହିଥାଏ।

କାର୍ତ୍ତିକ ମାସରେ ମାଛ ମାଂସ କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।ଏଇ ମାସରେ ମାଛଙ୍କ ଦେହରେ ବସନ୍ତ ହେଇଥାଏ।ଆଉ ଛେଳି, ମେଣ୍ଢା ,କୁକୁଡା,ବତକ ଇତ୍ୟାଦି ଙ୍କର ପ୍ରଜନନ ର ଋତୁ ଅଟେ କାର୍ତ୍ତିକ ମାସ।ତେଣୁ କାର୍ତ୍ତିକ ମାସରେ ମାଛ ମାଂସ ଖାଇଲେ ଅନେକ କୁପ୍ରଭାବ ପଡିଥାଏ ମଣିଷ ଶରୀରରେ।

ମାସ ସାରା ଗୋଟିଏ ଥର କିଛି ନିର୍ଦ୍ଦିଷ୍ଟ ଶୁଦ୍ଧ, ସାତ୍ତ୍ଵିକ ଆହାର ଗ୍ରହଣ କରା ଯାଇଥାଏ।କାର୍ତ୍ତିକ ପୂର୍ଣ୍ଣିମାର ପରଦିନ ପାଳିତ ହୋଇଥାଏ ଛାଡ଼ଖାଇ।
କିଛି ଶାସ୍ତ୍ର ଅନୁସାରେ ଛାଡ଼ଖାଇ ଅର୍ଥ ଖାଇବା ଛାଡ଼।ମାସ ସାରା ଥରେ ଭୋଜନ କରାଯାଏ।ଆଉ ଛାଡ଼ଖାଇ ଦିନ ଟି ସମ୍ପୂର୍ଣ୍ଣ ଉପବାସ ରହିବା ଉଚିତ।ଆଉ କିଛି ଶାସ୍ତ୍ର ଅନୁସାରେ କାର୍ତ୍ତିକ ବ୍ରତ ରେ ଯେଉଁଖାଦ୍ୟ ଖାଇବାକୁ ବାରଣ ହେଇଥାଏ,ଛାଡ଼ଖାଇ ଦିନଠୁ ସେ ଖାଦ୍ୟ ସବୁ ପୁଣି ଖାଇବାକୁ ଅନୁମତି ମିଳିଥାଏ।ଗୋଟିଏ ମାସର ସଂଯମ ଯୋଗୁଁ ହଜମ ଶକ୍ତି ବଢିଯାଏ।

କାର୍ତ୍ତିକ ବ୍ରତଧାରୀ ମାନେ ଛାଡ଼ଖାଇ ଦିନ ମଧ୍ୟ ଏକ ସ୍ବତନ୍ତ୍ର ପୂଜାକରିଥାନ୍ତି।ଚଉରାମୂଳେ ଭୀମ ଙ୍କର ଏକ ବାଲିମୂର୍ତ୍ତୀ କରି କିମ୍ୱା ମୁରୁଜରେ ଭୀମ ଙ୍କ ଏକ ମୂର୍ତ୍ତି ଅଙ୍କନକରି ତାଙ୍କୁ ପୂଜା କରଯାଏ।ମୁଢି,ଉସୁନା ଭାତ,ସମସ୍ତ ପରିବାପଡି ତରକାରୀ, କୋଶଳା ଶାଗ,କାଞ୍ଜି ଇତ୍ୟାଦି ସୁସ୍ୱାଦୁଖାଦ୍ୟ ଭୋଗ ବଢାଯାଏ ଭୀମଙ୍କୁ।କାରଣ ଭୀମ ହେଉ ଚନ୍ତି ଖାଦ୍ୟ ପ୍ରିୟ।ତାଙ୍କର ଦେହର ବଳ ଓ ହଜମ କରିବାର ଶକ୍ତି ଅତୁଳନୀୟ।ତେଣୁ କାର୍ତ୍ତିକ ବ୍ରତ ପରେ ଖାଦ୍ୟ ପ୍ରିୟ ଭୀମଙ୍କୁ ସୁସ୍ୱାଦୁ ଖାଦ୍ୟ ଅର୍ପଣ କରି ତାଙ୍କୁ ସନ୍ତୁଷ୍ଟ କରାଯାଏ।ଏହାପରେ ବ୍ରତଧାରୀ ମାନେ ଖାଦ୍ୟ ଗ୍ରହଣ କରନ୍ତି।

ହେଲେ କ୍ଷୋଭ ର ବିଷୟ ଯେ ଆମର ଏତେ ସୁନ୍ଦର ଧର୍ମିୟ ପରମ୍ପରା ଆଜି ଦିଗହରା।ବର୍ତ୍ତମାନ ଛାଡ଼ଖାଇ ଏକ *ଆମିଷଖିଆ* ପର୍ବ ପାଲଟି ଯାଇଚି। ଏଥିପାଇଁ ବଳୀ ପଡୁଚନ୍ତି ହଜାର ହଜାର ପଶୁ।ଏଥିପାଇଁ କଣ ଏକ ଖରାପ ବାର୍ତ୍ତା ପ୍ରଚାରିତ ହେଉନି କି? ତେଣୁ ଛାଡ଼ଖାଇର ମାର୍ମିକ ଅର୍ଥ ବୁଝି ଏହାକୁ ପାଳନ କରାଯିବା ଉଚିତ।

Comments are closed.