ସୁପ୍ରିମକୋର୍ଟରେ ଦାୟର ପିଟିସନ୍‌ରେ ଦାବି, କରୋନା ଟିକାକରଣରେ ହୋଇଛି ୩୨ ହଜାର କୋଟିର ସ୍କାମ୍

‌ନୂଆଦିଲ୍ଲୀ: ଦେଶରେ ସମ୍ପ୍ରତି କରୋନାର ଭୟଙ୍କର ଦ୍ୱିତୀୟ ଲହରୀ ମଧ୍ୟରେ କୋଭିଡ୍ ସହ ଜଡିତ ଅନେକ ଆବେଦନ ଉପରେ ସୁପ୍ରିମକୋର୍ଟ ଓ ବିଭିନ୍ନ ହାଇକୋର୍ଟରେ ଶୁଣାଣି ଚାଲିଛି । ଏ ସମ୍ବନ୍ଧରେ ପୁଣି ଏକ ପିଟିସନ୍ ସୁପ୍ରିମକୋର୍ଟରେ ଦାୟର କରାଯାଇଛି । ଏଥିରେ ଦାବି କରଯାଇଛି ଯେ, କୋଭିଡ୍‌-୧୯ ବିରୋଧରେ ଦେଶରେ ଚାଲିଥିବା ଟିକାକରଣରେ ୩୨ ହଜାର କୋଟି ଟଙ୍କାର ସ୍କାମ୍ ହୋଇଛି ।
ଓକିଲ ଦୀପକ ସିଂହଙ୍କ ପକ୍ଷରୁ ଏହି ପିଟିସନ୍ ଦାୟର କରାଯାଇଛି । ସେ ତାଙ୍କ ପିଟିସନରେ କରୋନା ବିରୋଧରେ କେନ୍ଦ୍ର ସରକାରଙ୍କ ରଣନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି । ଦୀପକ ସିଂ କହିଛନ୍ତି ଯେ, ଅନ୍ୟ ଦେଶ ଗୁଡିକରେ କୋଭିଡ୍‌-୧୯ ଟିକାର ମୂଲ୍ୟ ୧୫୦ରୁ ୨୦୦ ମଧ୍ୟରେ ସୀମିତ ରଖାଯାଇଛି । କିନ୍ତୁ ଭାରତରେ କୋଭିଡ୍ ଟିକା ୬୦୦ ଟଙ୍କା ପ୍ରତି ଡୋଜ୍‌ରେ ସାଧାରଣ ଲୋକଙ୍କୁ ଦିଆଯାଉଛି । ଖୁବ ଶୀଘ୍ର ଦେଶରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଲୋକଙ୍କ ଟିକାକରଣ ହେବାକୁ ଥିବାବେଳେ ଟିକା ମୂଲ୍ୟ ଅହେତୁକ ଭାବେ ବୃଦ୍ଧି କରାଯାଇଛି । ଦେଶରେ ଏବେ ପ୍ରାୟ ୮୦ କୋଟି ଲୋକଙ୍କୁ କୋଭିଡ୍ ଟିକା ଲଗାଯିବ ବୋଲି ଅନୁମାନ କରାଯାଉଛି । ଏଭଳି ସ୍ଥଳେ ଯଦି ଟିକାର ମୂଲ୍ୟ ଆକଳନ କରାଯାଏ, ତେବେ ୩୨ ହଜାର କୋଟି ଟଙ୍କାର ଦୁର୍ନୀତି ଜଳଜଳ ଦିଶୁଛି ବୋଲି ଦୀପକ ତାଙ୍କ ପିଟିସନରେ ଯୁକ୍ତି କରିଛନ୍ତି ।

ଆବେଦନକାରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଫେବୃୟାରୀ-ମାର୍ଚ୍ଚରେ ‘ନ୍ୟାସନାଲ ସାଇଣ୍ଟିଫିକ୍ ଫୋର୍ସ’ ଗଠନ କରିଥିଲେ ମଧ୍ୟ ଏଯାବତ୍ ଏହାର ଗୋଟିଏ ବି ବୈଠକ ହୋଇନାହିଁ । କାରଣ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଥିଲା । ଦୀପକ ସିଂ କହିଛନ୍ତି ଯେ, ଆମେରିକାରେ କରୋନାର ତାଣ୍ଡବ ସତ୍ତ୍ୱେ ସେହି ଦେଶର ରାଷ୍ଟ୍ରପତି ଲକଡାଉନ୍ ଲଗାଇନଥିଲେ । କିନ୍ତୁ ମୋଦି ଦେଶରେ ମନଇଚ୍ଛା ଲକ୍‌ଡାଉନ୍ ଘୋଷଣା କରିଥିଲେ । ଏହା ସତ୍ତ୍ୱେ କୋଭିଡ୍ ଲଢ଼େଇରେ କିଛି ସୁଫଳ ମିଳିନଥିଲା । କାରଣ ସମସ୍ୟାର ପ୍ରକୃତ ସମାଧାନ ବାହାର କରିବା ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ମୋଦି ନିଜ ସରକାରର ନୀତି ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ ।

Comments are closed.