କରୋନା ସଙ୍କଟ: ପ୍ରଥମ ଥର ଦିନକରେ ୪ ହଜାରରୁ ଊର୍ଦ୍ଧ୍ୱ ମୃତ, ଆଉ ୪ ଲକ୍ଷ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ କରୋନା ଦ୍ୱିତୀୟ ଲହରର ଅନିୟନ୍ତ୍ରିତ ଧାରା ଜାରି ରହିଛି । ଦେଶରେ ମୃତ୍ୟୁର ତାଣ୍ଡବ ରଚିଚାଲିଛି ଏହି ମହାମାରୀ । ଏବେ ଦୈନିକ ମୃତ୍ୟୁସଂଖ୍ୟା ୪ ହଜାର ଟପିଛି । ଦିନକରେ ଏହି ରୋଗରେ ରେକର୍ଡ ୪୧୮୭ ଜଣ ପ୍ରାଣ ହରାଇଛନ୍ତି । ପ୍ରଥମ ଥର ଦୈନିକ ମୃତ୍ୟୁସଂଖ୍ୟା ଚାରି ହଜାର ଅତିକ୍ରମ କରିଛି । ଏବଂ କ୍ରମାଗତ ତୃତୀୟ ଦିନ ଏବଂ ମୋଟ ଉପରେ ଚତୁର୍ଥ ଥର ପାଇଁ ଚାରି ଲକ୍ଷରୁ ଊର୍ଦ୍ଧ୍ୱ ନୂଆ ମାମଲା ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟାରେ ପୁଣି ୪୦୧,୦୭୮ ମାମଲା ଆସିଛି । ଏହି ରୋଗରୁ ଆଙଉ ୩୧୮,୬୦୯ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଭାରତରେ ଏବେ ମୋଟ କରୋନା ମାମଲା ୨ କୋଟି ୧୮ ଲକ୍ଷ ୯୨ ହଜାର ୬୭୬କୁ ବୃଦ୍ଧି ପାଇଛି । କରୋନାରେ ଏଯାବତ ୨ ଲକ୍ଷ ୩୮ ହଜାର ୨୭୦ ଲୋକଙ୍କ ମୃତ୍ୟୁ ଘଟିଲାଣି । ସୁସ୍ଥ ଲୋକଙ୍କ ସଂଖ୍ୟା ୧ କୋଟି ୭୯ ଲକ୍ଷ ୩୦ ହଜାର ୯୬୦ରେ ପହଞ୍ଚିଛି । ତେବେ ସକ୍ରିୟ ମାମଲା ୪୦ ଲକ୍ଷର ନିକଟତର ହେବାରେ ଲାଗିଛି । ଶନିବାର ସୁଦ୍ଧା ଦେଶରେ ମୋଟ ୩୭ ଲକ୍ଷ ୨୩ ହଜାର ୪୪୬ ସକ୍ରିୟ ରୋଗୀ ଅଛନ୍ତି ।

Comments are closed.