ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ

ପୁଣେ: ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେ ଆଉ ନାହାଁନ୍ତି । ଗୋଖଲେଙ୍କ ଶନିବାର ୭୭ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ପୁଣେର ଦିନାନାଥ ମଙ୍ଗେସକର ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅସୁସ୍ଥତା ଯୋଗୁଁ ବିକ୍ରମ ଗୋଖଲେ ଗତ କିଛି ଦିନ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସିନଥିଲା। ଆଜି ସନ୍ଧ୍ୟାରେ ପୁଣେର ବୈକୁଣ୍ଠ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର ହେବ ।

ସଞ୍ଜୟ ଲୀଲା ଭଁସାଲିଙ୍କ ‘ହମ୍ ଦିଲ୍ ଦେ ଚୁକେ ସନମ’ରେ ବିକ୍ରମ ଗୋଖଲେଙ୍କୁ ଐଶ୍ୱର୍ଯ୍ୟା ରାୟଙ୍କ ବାପା ଭୂମିକାରେ ଦେଖିବାକୁ ମିଳିଥିଲା। ଏହାଛଡ଼ା ସେ ଭୁଲ୍ ଭୁଲୟା, ଦିଲ୍ ସେ, ଅଗ୍ନିପଥ, ଦେ ଦନା ଦନ୍, ହିଚକି, ନିକମା ଏବଂ ମିଶନ ମଙ୍ଗଳ ଭଳି ଚଳଚ୍ଚିତ୍ରରେ ମଧ୍ୟ କାମ କରିଥିଲେ ।

ମରାଠୀ ଥିଏଟର, ହିନ୍ଦୀ ସିନେମା ଏବଂ ଟେଲିଭିଜନରେ ବିକ୍ରମ ଗୋଖଲେ ବେଶ୍ ସକ୍ରିୟ ଥିଲେ। ସେ ଚଳଚ୍ଚିତ୍ର ଅଭିନେତା ଚନ୍ଦ୍ରକାନ୍ତ ଗୋଖଲେଙ୍କ ପୁଅ । ବିକ୍ରମ ଗୋଖଲେଙ୍କ ଜେଜେମା କମଲାବାଇ ଗୋଖଲେ ଥିଲେ ଭାରତୀୟ ସିନେମାର ପ୍ରଥମ ମହିଳା ଶିଶୁ କଳାକାର ।

ଟେଲିଭିଜନରେ ମଧ୍ୟ ବିକ୍ରମ ଗୋଖଲେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେ ୧୯୮୯ ରୁ ୧୯୯୧ ପର୍ଯ୍ୟନ୍ତ ଦୂରଦର୍ଶନରେ ପ୍ରସାରିତ ଲୋକପ୍ରିୟ ଶୋ ‘ଉଡାନ୍’ର ଅଂଶ ଥିଲେ |

ବିକ୍ରମ ଗୋଖଲେ ୯୭ଟି ଚଳଚ୍ଚିତ୍ର ଏବଂ ଥିଏଟର ନାଟକରେ ଅଭିନୟ କରିଥିଲେ | ସେ ୭୦ ମରାଠୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ | ତାଙ୍କୁ ଶେଷ ଥର ପାଇଁ ୨୦୨୨ ଚଳଚ୍ଚିତ୍ର ‘ନିକମା’ରେ ଦେଖିବାକୁ ମିଳିଥିଲା ​​| ଏହାଛଡ଼ା ଆଗାମୀ ୱେବ୍ ସିରିଜ୍ ଆମ୍ବେଦକର – ଦି ଲିଜେଣ୍ଡରେ ନଜର ଆସିବେ |

୨୦୧୧ରେ ବିକ୍ରମ ଗୋଖଲେଙ୍କୁ ଥିଏଟର ପ୍ରତି ଅବଦାନ ପାଇଁ ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା | ୨୦୧୩ରେ ତାଙ୍କୁ ମରାଠୀ ଚଳଚ୍ଚିତ୍ର ‘ଅନୁମତି’ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା |

Comments are closed.