ଟୀକାକରଣ ନୀତି ନେଇ ସୁପ୍ରିମକୋର୍ଟରେ କେନ୍ଦ୍ରର ସତ୍ୟପାଠ, କାର୍ଯ୍ୟପାଳିକା ଉପରେ ଭରସା ରଖ

ନୂୂଆଦିଲ୍ଲୀ: ଦେଶରେ ବଢୁଥିବା କରୋନା ସଂକ୍ରମଣ ଯୋଗୁଁ ଅକ୍ସିଜେନ ଅଭାବ, ଟୀକାକରଣର ମନ୍ଥର ଗତି ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ଇତିମଧ୍ୟରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏହି ମାମଲାରେ ସତ୍ୟପାଠ ଦାଖଲ କରି ଅତ୍ୟଧିକ ଉତ୍ସାହରେ ନିଷ୍ପତ୍ତି ନ ନେବାକୁ କୋର୍ଟଙ୍କୁ ପରାମର୍ଶ ଦେଇଛନ୍ତି। ଏଭଳି ପରିସ୍ଥିତିରେ କାର୍ଯ୍ୟପାଳିକା ଦ୍ବାରା ଗ୍ରହଣ କରାଯାଉଥିବା ପଦକ୍ଷେପ ଏବଂ ନିଷ୍ପତ୍ତି ଉପରେ ଭରସା ରଖିବାକୁ ପଡିିିବ ବୋଲି କେନ୍ଦ୍ର କହିଛି।

ସରକାର କହିଛନ୍ତି ଯେ କେନ୍ଦ୍ରର ଟୀକାକରଣ ନୀତିରେ ନ୍ୟାୟିକ ହସ୍ତକ୍ଷେପର ଆବଶ୍ୟକତା ନାହିଁ। ଏହି ସତ୍ୟପାଠରେ ହସ୍ପିଟାଲ ଗୁଡ଼ିକରେ ଶଯ୍ୟା ବ୍ୟବସ୍ଥା ଠାରୁ ଆରମ୍ଭ କରି ଦେଶରେ ଅକ୍ସିଜେନ ଏବଂ ଔଷଧ ଯୋଗାଣ ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାର କୋର୍ଟରେ ସୂଚନା ରଖିଛନ୍ତି।

କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ କୁହାଯାଇଛି ଯେ ଅତ୍ୟଧିକ ଉତ୍ସାହରେ ନିଆଯାଇଥିବା କୌଣସି ନିଷ୍ପତ୍ତି ଅତ୍ୟନ୍ତ କ୍ଷତିକାରକ ହୋଇପାରେ। ଏଥିରେ ଦର୍ଶାଯାଇଛି ଯେ ଯଦି କୌଣସି ବିଶେଷଜ୍ଞ, ବୈଜ୍ଞାନିକ କିମ୍ବା ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ବିନା ଏପରି ନିଷ୍ପତ୍ତି ନିଆଯାଏ, ତେବେ ବିପରୀତ ଫଳ ମଧ୍ୟ ମିଳିପାରେ।

ଏଥି ସହିତ କେନ୍ଦ୍ର ସରକାର ଏହା ମଧ୍ୟ ସ୍ବୀକାର କରିଛନ୍ତି ଯେ ଏହା ଏକ ବିଶ୍ୱ ମହାମାରୀ ଏବଂ ଏଭଳି ପରିସ୍ଥିତିରେ ନ୍ୟାୟପାଳିକା କାର୍ଯ୍ୟପାଳିକା ଦ୍ବାରା ଗ୍ରହଣ କରାଯାଉଥିବା ପଦକ୍ଷେପ ଏବଂ ନିଷ୍ପତ୍ତି ଉପରେ ଭରସା ରଖିବାକୁ ପଡିବ। କାରଣ ଏହି ପରିସ୍ଥିତି ସମଗ୍ର ବିଶ୍ଵ ପାଇଁ ଅପ୍ରତ୍ୟାଶିତ ।

Comments are closed.