ଏମସିଡିରେ ଚାଲିଲା ‘ଝାଡ଼ୁ’, ବିଜେପିର ୧୫ ବର୍ଷ ଶାସନର ଅନ୍ତ

ନୂଆଦିଲ୍ଲୀ: ଏଥର ଦିଲ୍ଲୀ ମହାନଗର ନିଗମ (ଏମସିଡି) ନିର୍ବାଚନରେ ଚାଲିଛି ‘ଝାଡୁ’ । ୨୫୦ ଓ୍ବାର୍ଡ ବିଶିଷ୍ଟ ଏମସିଡିରେ ଆମ୍ ଆଦମୀ ପାର୍ଟି (ଆପ୍) ୧୩୧ଟି ସିଟ୍ ଜିତି ବହୁମତ ହାସଲ କରିବା ସହ ବିଜେପିର ୧୫ ବର୍ଷ ଶାସନର ଅନ୍ତ ଘଟାଇଛି।

ରାଜ୍ୟ ନିର୍ବାଚନ ଆୟୋଗର ସୂଚନା ଅନୁଯାୟୀ ବିଜେପି ୧୦୪ଟି ଆସନରେ ବିଜୟୀ ହୋଇଛି । ଅନ୍ୟପକ୍ଷରେ କଂଗ୍ରେସ ଦୁଇଅଙ୍କ ମଧ୍ୟ ଛୁଇଁପାରି ନାହିଁ । ଏମସିଡି ନିର୍ବାଚନରେ କଂଗ୍ରେସ ମାତ୍ର ୯ଟି ଆସନ ପାଇଥିବା ବେଳେ ଆଉ ତିନି ଆସନରେ ସ୍ବାଧୀନ ପ୍ରାର୍ଥୀ ଜିତିଛନ୍ତି ।

୨୦୦୭ ମସିହାରୁ ବିଜେପି ଦିଲ୍ଲୀ ମହାନଗର ନିଗମରେ ଶାସନ କରୁଥିଲା। ଚୂଡାନ୍ତ ଫଳାଫଳ ଆସିବା ପୂର୍ବରୁ ଏହା ସ୍ପଷ୍ଟ ହୋଇଯାଇଥିଲା ଯେ ଆପ୍ ବିଜେପିକୁ ଏମସିଡି କ୍ଷମତାରୁ ବିଦା କରିବ ।

ଦଳର ବିଜୟ ପରେ ଆପ୍ କର୍ମୀମାନେ ‘ଅରବିନ୍ଦ କେଜ୍ରିୱାଲ ଜିନ୍ଦାବାଦ୍’ ସ୍ଲୋଗାନ ସହ ପାର୍ଟି ଅଫିସରେ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି ।

ଭୋଟ୍ ଗଣତି ଆରମ୍ଭରେ ବିଜେପି ଆଗୁଆ ରହିଥିଲା । କିନ୍ତୁ ଏହାପରେ ବିଜେପିକୁ ପଛରେ ପକାଇ ଦେଇଥିଲା ଆପ୍ ।

Comments are closed.